ତିହିଡି, ୧୦.୦୩: ଭଦ୍ରକ ଜିଲ୍ଲା ପୀରହାଟ ଥାନା ବାରସର ପଞ୍ଚାୟତ ଅଧିନ ସାପକାତିଆ ଗାଁରେ ଜଣେ ଗର୍ଭବତୀ ମହଳାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ଶ୍ୱଶୁର ଘରଲୋକେ ମାନସିକ ଓ ଯୌତୁକ ନିର୍ଯ୍ୟାତନା ଦେବାସହ ଜୀବନରୁ ମାରିଦେଇ ପ୍ରମାଣ ନଷ୍ଟ କରିବାକୁ ନଦୀକୁ ଫିଙ୍ଗି ଦେଇଥିଲେ । ଦୁଇଦିନ କାଳ ଖୋଜାଖୋଜି କରା ଯାଇଥିଲେ ମଧ୍ୟ ଶବର କୌଣସି ସନ୍ଧାନ ମିଳିନଥିଲା । ପରେ ନଦୀରୁ ତାଙ୍କର ଗଳିତ ଶବ ଉଦ୍ଧାର ହୋଇଛି । ଯାହାକୁ ନେଇ ମହିଳାଙ୍କ ବାପା ଥାନାରେ ଦ୍ୱାରସ୍ଥ ହେବା ସହିତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରିବାକୁ ଦାବି କରିଛନ୍ତି । ସୂଚନା ମୁତାବକ, ସାପକାତିଆ ଗାଁର ରମେଶ ଚନ୍ଦ୍ର ଦାସଙ୍କ ଝିଅ କାମିନୀ ଦାସ(୨୨) ଗତ ଦୁଇ ବର୍ଷ ତଳେ ସେହି ଗାଁର ମାନସ ଦାସଙ୍କୁ ପ୍ରେମ ବିବାହ କରିଥିଲେ । ପରେ ବାପ ଘରଲୋକେ ନାନାଦି ଜାନିଯୌତୁକ ଦେଇ ସମ୍ପର୍କ ରଖିଥିଲେ । ବିବାହର ମାତ୍ର କେଇଦିନ ପରେ ଅଧିକ ଯୌତୁକ ଦାବିକରି କାମିନୀଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିଲେ । ପ୍ରଥମ ଗର୍ଭରେ କାମିନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ମାତ୍ର ଚିକିତ୍ସା ଅଭାବରୁ କିଛିଦିନ ପରେ ତାର ମୃତ୍ୟୁ ହୋଇଥିଲା । ସଂପ୍ରତି କାମିନୀ ୪ ମାସର ଗର୍ଭବତୀ ଥିଲେ । ଗତ ୭ ତାରିଖ ସକାଳ ପ୍ରାୟ ୭.୧୫ ଘଟିକାରେ କାମିନୀ ନଦୀକୁ ଡେଇଁ ପଡି ମୃତ୍ୟୁ ବରଣ କରିଥିବା ତାଙ୍କ ଶାଶୁ ଠାରୁ ଶୁଣିବାକୁ ପାଇଥିଲେ । ସେଥିରେ ବାପ ଘରଲୋକେ ବିଶ୍ୱସ ନକରି ଗ୍ରାମବାସୀଙ୍କ ସହ ନଦୀରେ ଖୋଜାଖୋଜି କରି ବିଫଳ ହୋଇ ଥାନାରେ ଏତଲା ଦେଇଥିଲେ । ପରେ ୯ ତାରିଖରେ ନଦୀରେ ଶବର ସନ୍ଧାନ ପାଇବା ପରେ ପୋଲିସ ଓ ଓଡ୍ରାପ୍ଟ ଟିମ୍ର ଉଦ୍ୟମରେ ଶବକୁ ଉଦ୍ଧାର କରା ଯାଇଛି । ଶବର ପଞ୍ଚନାମା କରାଯାଇ ୧୦ ତାରିଖରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରା ଯାଇଛି । ତେବେ କାମିନୀଙ୍କ ସ୍ୱାମୀ ସମେତ ତାଙ୍କ ପରିବାର ଲୋକେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ତାଙ୍କ ବାପା ରମେଶ ଚନ୍ଦ୍ର ଦାସ ଥାନାରେ ଏତଲା ଦେବା ସହିତ ଅଭିଯୁକ୍ତମାନଙ୍କ ବିରୋଧରେ ବିହିତ ପଦକ୍ଷେପ ଗ୍ରହଣ କରିବା ଲାଗି ଦାବୀ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୋଲିସ ସଂଗୀନ ଦଫାରେ ଏକ ଯୌତୁକ ଜନିତ ହତ୍ୟା ୫୯/୨୬ ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଥାନା ସୂତ୍ରରୁ ସୂଚନା ମିଳିଛି ।

