ବେଗୁନିଆ: ଅବହେଳିତ ଅଟ୍ରିର ବିକାଶ ନେଇ ନାଁ ଧରୁନି ରାଜ୍ୟ ପର୍ଯ୍ୟଟନ ବିଭାଗ, ହେଲେ ବଢାଇ ଦେଇଛି ପ୍ରବେଶ ଟିକେଟର ମୂଲ୍ୟ । ଏକାଥରକେ ରାଜ୍ୟ ପର୍ଯ୍ୟଟନ ବିଭାଗ ଟିକେଟର ମୂଲ୍ୟ ପନ୍ଦର ଟଙ୍କା ବଢାଇ ଦେଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସୀ । ଏନେଇ କମୁଛି ପର୍ଯ୍ୟଟକଙ୍କ ସଂଖ୍ୟା, ଜୀବିକା ହରାଉଛନ୍ତି ବ୍ୟବସାୟୀ ଆଉ ଚିନ୍ତାରେ ଅଛନ୍ତି ସେବାୟତ ।
ଏବେ ଅଟ୍ରିର ଉଷ୍ମପ୍ରସବଣ ଭିତରକୁ ଗଲେ ପର୍ଯ୍ୟଟକଙ୍କୁ ଦେବାକୁ ପଡୁଛି ଜଣ ପିଛା ପନ୍ଦର ଟଙ୍କା । ଯାହାକୁ ନାପସନ୍ଦ କରିଛନ୍ତି ଏଠାକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ । ଅନେକ ପର୍ଯ୍ୟଟକ ମୁହଁ ଫେରାଇ ଭିତରକୁ ନ ଯାଇ ଫେରୁଥିବା ବେଳେ ଆଉ କିଛି ପର୍ଯ୍ୟଟକ ପୁନର୍ବାର ଆସିବେନି ବୋଲି କହିଛନ୍ତି । ଏହା ସହ ଅନ୍ୟମାନଙ୍କୁ ଏଠାକୁ ଆସିବାକୁ ମନା କରିବେ କହି ଫେରି ଯାଇଛନ୍ତି । ତେବେ ଓଟିଡିସିର ହଠାତ ଏପରି ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ବ୍ୟବସାୟୀ ଏବଂ ସେବାୟତ ।
ବେଗୁନିଆ ଅଞ୍ଚଳର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ହେଉଛି ଅଟ୍ରିର ଉଷ୍ମପ୍ରସବଣ କ୍ଷେତ୍ର । ବିଶେଷ କରି ଶୀତଦିନରେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସନ୍ତି ହଜାର ହଜାର ପର୍ଯ୍ୟଟକ କିନ୍ତୁ ସେମାନଙ୍କ ପାଇଁ ଏଠାରେ ନାହିଁ କୌଣସି ପ୍ରକାରର ବ୍ୟବସ୍ଥା । ସାଧାରଣ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରିନାହିଁ ରାଜ୍ୟ ପର୍ଯ୍ୟଟନ ବିଭାଗ । ପାନ୍ଥ ନିବାସଟି ଭାଙ୍ଗିରୁଜି ଯାଇଥିବା ବେଳେ ଆମୋଦ ପ୍ରମୋଦ ପାଇଁ ସରଞ୍ଜାମ ମଧ୍ୟ ନାହିଁ । ଖରା ହେଲେ ପର୍ଯ୍ୟଟକମାନଙ୍କୁ ବିଶ୍ରାମ ପାଇଁ ଅନେକ ହଇରାଣ ହେବାକୁ ପଡେ ।
ଦୀର୍ଘ ବର୍ଷ ହେବ ଅଟ୍ରିର ବିକାଶ ପାଇଁ ସରକାର କହି ଆସୁଥିବା ବେଳେ ଏଯାଏଁ ବିକାଶ କଥା ନାଲି ଫିତା ତଳେ ଲୁଚି ରହିଛି । ଆଉ ହଠାତ ପର୍ଯ୍ୟଟନ ବିଭାଗ ପ୍ରବେଶ ଶୁଳ୍କ ବଢାଇବାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

