ତିହିଡି, ୧୪.୦୨: ପଦାରେ ପଡିଲା ଚାଷୀଙ୍କ ପାଇଁ ସରକାରଙ୍କ କମ୍ଭୀର କାନ୍ଦଣା । ସବୁ ମଣ୍ଡିରେ ସମାନ ଅବସ୍ତା । ଟାରଗେଟ୍ ନାହିଁ ଏବଂ ଧାନ ଲିପ୍ଟିଂ କରୁନି ମିଲର । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପାଇଛି । ଟାରଗେଟ୍ ନମିଳିଲେ ଏବଂ ମିଲରମାନେ ତୁରନ୍ତ ମଣ୍ଡିରୁ ଧାନ ଲିପ୍ଟିଂ ନକରିଲେ ରାସ୍ତାରୋକ କରିବାକୁ ଚେତାବନି ଦେଲେ ଚାଷୀ । ଶନିବାର ଅପରାହ୍ନରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଚାଷୀ ସମାବେଶରେ ଏପରି ଚେତାବନି ଦିଆଯାଇଛି । ଧାନ ବିକ୍ରି ନହେବାରୁ ଚାଷୀମାନେ ନାନାଦି ଆର୍ଥିକ ନିର୍ଯ୍ୟାତନା ଶିକାର ହେଉଛନ୍ତି । ଘରେ ଅଥବା ଖଳାରେ ଧାନ ପଡି ରହିଛି ଯାହା ନଷ୍ଟ ମଧ୍ୟ ହେଉଛି । ବିଗତ କିଛିଦିନ ହେଲା ମଣ୍ଡିରେ ଭଲଭାବରେ ଧାନ କିଣା ହେଉନି । ଟାରଗେଟ୍ ନାହିଁ, ମଣ୍ଡିରୁ ମିଲର ଧାନ ଲିପ୍ଟିଂ କରୁନି, ଅଯଥାରେ ଧାନ କିଣି ପଡିଆ ଭର୍ତ୍ତୀ କରିବା ଅପେକ୍ଷା ନିରବ ରହିଯିବା ଉଚିତ ବୋଲି ମଣ୍ଡି ପକ୍ଷରୁ କୁହାଯାଉଛି । ସେପଟେ କେତେକ ଚାଷୀଙ୍କର ଟୋକନ୍ ଲାପ୍ସ କରିବା ପରିସ୍ଥିତି ସୃଷ୍ଟି ହୋଇଛି । ଆଉ କିଛି ଦିନ ପରେ ଧାନ କିଣା ବନ୍ଦ ହୋଇଯିବ ବୋଲି ସେମାନେ ଜାଣିବା ପରେ ସମାବେଶର ଆୟୋଜନ କରି ସରକାର ଓ ପ୍ରଶାସନକୁ ଚେତାବନି ଦେଇଛନ୍ତି । ସୋମବାର ମଧ୍ୟରେ ପ୍ରଶାସନ ପକ୍ଷରୁ ଧାନ କିଣାରେ ସମ୍ପୂର୍ଣ୍ଣ ଭାବେ ସୁଧାର ନଆଣିଲେ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଧାନ ବସ୍ତା ରଖି ଅବରୋଧ କରାଯିବ ବୋଲି ଆୟୋଜିତ ଚାଷୀ ସମାବେଶରେ ନିଷ୍ପତି ନିଆ ଯାଇଛି । ଚାଷୀମାନେ ନିଜ ନିଜର ସମସ୍ୟା ସମ୍ପର୍କରେ ଅବଗତ କରିବା ସହ ମଣ୍ଡିର ସମ୍ପାଦିକା ସ୍ୱର୍ଣ୍ଣଲତା ବାରିକ ମଧ୍ୟ ମିଲରମାନଙ୍କ ଦ୍ୱାରା ଅବହେଳାର ଶିକାର ହେଉଥିବା ଏବଂ ଠିକଣା ସମୟରେ ଟାରଗେଟ୍ ମିଳୁନଥିବା କଥା କହିଥିଲେ । ସେହିପରି ମଣ୍ଡିରେ ଖୋଲାମେଲା ପଡି ରହିଥିବା ଧାନକୁ ଜଗିବାକୁ ପଡୁଛି । ବର୍ଷା ହେଲେ ଅବସ୍ତା ଅସମ୍ଭାଳ ହୋଇଯିବ ବୋଲ ଦର୍ଶାଇଥିଲେ । ଏନେଇ ଏକ ଚାଷୀ କମିଟି ଗଠନ କରାଯାଇଛି । ସେମାନେ ପ୍ରଶାସନ ନିକଟରେ ଫେରାଦ ହେବେ ଏବଂ ଆବଶ୍ୟକ ମୁତାବକ ପୂନଶ୍ଚ ଚାଷୀଙ୍କ ଏକାଠି କରି ରାସ୍ତାରୋକକୁ ସଫଳ କରାଯିବ ବୋଲି ଜଣାଯାଇଛି । ଚାଷୀ କମିଟିର ମୀନକେତନ ସେନାପତି, ବୈକୁଣ୍ଠନାଥ ପାଣି, କରୁଣାକର ନାୟକ, ଦୀପକ ଦାସ, ଲକ୍ଷ୍ମୀଧର ସେନାପତି, ତପନ ସ୍ୱାଇଁ, ହରେନ୍ଦ୍ର ପରିହାରି, ଅନିରୁଦ୍ଧ ବାରିକ, ରାଜେନ୍ଦ୍ର ସ୍ୱାଇଁ, ଚକ୍ରଧର ସ୍ୱାଇଁ, କୃତ୍ତିବାସ ଦାସ, ଭାଷ୍କର ଚନ୍ଦ୍ର ଦାସ, ମୂରଲୀଧର ଦାସ, ମନୋରଞ୍ଜନ ବାରିକ, ଉମାକାନ୍ତ ନାୟକ, ସମରୁଦ୍ ହୋଦା, ସରୋଜ ନାୟକ, ପ୍ରଦୀପ ଦାସ, ଜଗବନ୍ଧୁ ରାଉଳ ଓ ଶ୍ରୀଧର ବାରିକଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ଏଠାରେ ସୂଚନା ଥାଉକି, ମିଲରମାନେ ସଂପ୍ରତି ସଂଗଠିତ ହୋଇଥିବା ଜଣାଯାଇଛି । ସରକାର ସେମାନଙ୍କ ଦାବୀ ପୂରଣ ନକରିବା ପର୍ଯ୍ୟନ୍ତ ମଣ୍ଡିରୁ ଧାନ ଲିପ୍ଟିଂ କରାଯିବ ନାହିଁ ବୋଲି ଚେତାବନି ଦେଇଛନ୍ତି । ମିଲରମାନଙ୍କୁ ସରକାର ଦେଇଥିବା ଧାନର ଚାଉଳ ନେଉନି କି ପାଉଣା ଦେଉନି ଏବଂ ମିଲିଂ କରିବା ଲାଗି ଅନୁମତି ମଧ୍ୟ ଦେଉନି । ମିଲ ପରିସରରେ ଧାନ ରଖିବା ଲାଗି ଆଉ ଜାଗା ନାହିଁ ଏବଂ ଧାନ ଆଣି କେଉଁଠି ରଖିବେ ବୋଲି ଓଲଟି ପ୍ରଶ୍ନ କରି ଗତକାଲି ଠାରୁ ଧାନ ଲପ୍ଟିଂ ବନ୍ଦ କରିଛନ୍ତି । ଏନେଇ ପ୍ରଶାସନ ସହ ବୈଠକ ପରେ ବୈଠକ ହେଉଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରିନଥିବା ଜଣାଯାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

