ଓଡ଼ିଶାର ୭୦,୦୦୦ ଠିକାଦାରଙ୍କ ମିଳିତ ମହାମଞ୍ଚର ଚେତାବନୀ: ଫେବୃଆରୀ ୨୦ରୁ ରାଜ୍ୟବ୍ୟାପୀ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ସହ ରାଜରାସ୍ତାକୁ ଓହ୍ଲାଇବେ ଠିକାଦାର
ଏକାଠି ହେଲେ ରାଜ୍ୟର ତିନି ପ୍ରମୁଖ ଠିକାଦାର ସଂଘ ( ସିଭିଲ, ପି.ଏଚ୍.ଡି ଏବଂ ଇଲେକ୍ଟ୍ରିକାଲ )
ଭୁବନେଶ୍ୱର, ୧୩ ଫେବୃଆରୀ ୨୦୨୬: ଓଡ଼ିଶାର ବିକାଶର ମୁଖ୍ୟ ସୂତ୍ରଧାର ସାଜିଥିବା ପ୍ରାୟ ୭୦,୦୦୦ ଠିକାଦାରଙ୍କୁ ପ୍ରତିନିଧିତ୍ୱ କରୁଥିବା ତିନୋଟି ପ୍ରମୁଖ ସଂଗଠନ – ଅଲ୍ ଓଡ଼ିଶା ଠିକାଦାର ମହାସଂଘ, ଅଲ୍ ଓଡ଼ିଶା ଠିକାଦାର ୱେଲଫେୟାର ଆସୋସିଏସନ ଏବଂ ଅଲ୍ ଓଡ଼ିଶା ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଆସୋସିଏସନ – ଏକ ମିଳିତ ମହାମଞ୍ଚ ଗଠନ କରି ନିଜର ୮ ଦଫା ଦାବି ପୂରଣ ପାଇଁ ସରକାରଙ୍କୁ ଶେଷ ଚେତାବନୀ ଦେଇଛନ୍ତି।
ମିଳିତ ମଞ୍ଚର ଆବାହକ ଶ୍ରୀ ଅନିଲ କୁମାର ମହାଲିକଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ପତ୍ର ମାଧ୍ୟମରେ ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯଦି ଆସନ୍ତା ୧୮ ଫେବୃଆରୀ ୨୦୨୬ ସୁଦ୍ଧା ସରକାର ଏହି ଦାବିଗୁଡ଼ିକ ଉପରେ ବିଚାର ନ କରନ୍ତି, ତେବେ ୨୦ ଫେବୃଆରୀ ୨୦୨୬ ଠାରୁ ରାଜ୍ୟର ସମସ୍ତ ଚାଲୁଥିବା ନିର୍ମାଣ କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯିବ ଏବଂ ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ।
ମୁଖ୍ୟ ଦାବିଗୁଡ଼ିକ:
୧. ସର୍କୁଲାର ରଦ୍ଦ: ପୂର୍ତ୍ତ ବିଭାଗର ସର୍କୁଲାର ନଂ- ୦୭୭୬୪୬୦୦୦୨୨୦୨୫୧୭୩ (ତାରିଖ ୦୩.୦୧.୨୦୨୬) କୁ ଅବିଳମ୍ବେ ରଦ୍ଦ କରି ଟେଣ୍ଡର ମୂଲ୍ୟକୁ ୦.୦୦% ରୁ କମ୍ ନକରିବା ପାଇଁ ନୂତନ ଆଇନ ପ୍ରଣୟନ।
୨. S.O.R ସ୍ଥିରୀକରଣ: କୋଡାଲ ବ୍ୟବସ୍ଥା ଅନୁଯାୟୀ ପ୍ରତିବର୍ଷ ନିୟମିତ ଭାବେ Schedule of Rates (SOR) ସ୍ଥିର କରିବା ନଚେତ୍ ପ୍ରତିବର୍ଷ ୧୫% ବୃଦ୍ଧି କରିବେ ।
୩. ଟେଣ୍ଡର ସୀମା ବୃଦ୍ଧି: ଶର୍ଟ ଟେଣ୍ଡର କଲ୍ ନୋଟିସ ଦ୍ୱାରା ସର୍ବାଧିକ ଟେଣ୍ଡର ମୂଲ୍ୟକୁ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା।
୪. ଏକ ରାଜ୍ୟ ଏକ ଆଇନ: ସମଗ୍ର ରାଜ୍ୟରେ Standard Bidding Document (SBD) ପ୍ରଚଳନ ଏବଂ Arbitration Clause ର ସଂଯୋଗ।
୫. ଖଣିଜ ଦ୍ରବ୍ୟ ସମସ୍ୟା: ସଚଳ ଖଣିଗୁଡ଼ିକର ତାଲିକା ପ୍ରସ୍ତୁତ କରି ଟେଣ୍ଡରରେ ଖଣିର ନାମ ସ୍ପଷ୍ଟ ଉଲ୍ଲେଖ କରିବା।
୬. ଜରିମାନା ଛାଡ: କାର୍ଯ୍ୟର ସମୟସୀମା ବୃଦ୍ଧି ବେଳେ ଦିନପିଛା ଜରିମାନା ବ୍ୟବସ୍ଥାକୁ ରଦ୍ଦ କରିବା।
୭. ଦରଦାମ ବୃଦ୍ଧି ହିସାବ: ୨୦୧୨ରୁ ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ଦରଦାମର ଉଚିତ ହିସାବ ପ୍ରଦାନ।
୮. WAMIS ସ୍ଥାନାନ୍ତର: ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ WAMIS ପରିଚାଳନା ହେତୁ ଅଯଥା ବିଳମ୍ବକୁ ଦୂର କରିବା ପାଇଁ, ମୂଳ ବିଭାଗକୁ ସ୍ଥାନାନ୍ତରିତ ହେବ ଅର୍ଥାତ୍ କାର୍ଯ୍ୟ ବିଭାଗର ଇ-ପ୍ରକ୍ୟୁରମେଣ୍ଟ ସେଲ |
ମହାମଞ୍ଚର ଚେତାବନୀ:
“ଓଡ଼ିଆ ଠିକାଦାରମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଉଛି। ଯଦି ସରକାର ଆଲୋଚନା ମାଧ୍ୟମରେ ଏହାର ସ୍ଥାୟୀ ସମାଧାନ ନ କରନ୍ତି, ତେବେ ଓଡ଼ିଆ ଅସ୍ମିତା ଓ ରାଜ୍ୟର ଅର୍ଥନୈତିକ ମେରୁଦଣ୍ଡ ବିପନ୍ନ ହେବ। ଠିକାଦାରମାନଙ୍କ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡିତ ପ୍ରାୟ ୭୪ ଲକ୍ଷ ଲୋକଙ୍କ ଜୀବିକା ବିପଦରେ ପଡ଼ିବ। ଆଗାମୀ ଦିନରେ କାର୍ଯ୍ୟବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଲେ ସେଥିପାଇଁ ସରକାର ସଂପୂର୍ଣ୍ଣ ଦାୟୀ ରହିବେ,” ବୋଲି ଆବାହକ ଶ୍ରୀ ମହାଲିକ ପ୍ରକାଶ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀ ଶ୍ରୀ ପ୍ରଭାତ ଦାସ (ଅଧ୍ୟକ୍ଷ, ଏଓସିଏ ), ଶ୍ରୀ ଅନିଲ ମହାଳିକ (ଅଧ୍ୟକ୍ଷ, ଏଓସିଏ), ଶ୍ରୀ ଦିଲୀପ କୁମାର ଜେନା (ସମ୍ପାଦକ, ଏଓସିଏ), ଶ୍ରୀ ଜଗଦୀଶ ପାତ୍ର (ଅଧ୍ୟକ୍ଷ, ଏଓସିଡବ୍ଲୁଏ), ଶ୍ରୀ ବିଭୂତି ଜେନା (ସାଧାରଣ ସମ୍ପାଦକ, ଏଓସିଡବ୍ଲୁଏ), ଶ୍ରୀ ଆଶିଷ କୁମାର ସୋମ (ଅଧ୍ୟକ୍ଷ, ଏଓସିଇଏ), ଶ୍ରୀ ଭଗବାନ ବିଶ୍ୱାଳ (ସାଧାରଣ ସମ୍ପାଦକ, ଏଓସିଇଏ) ଏବଂ ରାଜ୍ୟର ଅନ୍ୟାନ୍ୟ ଠିକାଦାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।

