ସାଲେପୁର: ପେଟେଇ ପଡ଼ିଲାଣି ଚାଳ, ଦବି ଗଲାଣି ବାଉଁଶ । ଚାଳରୁ ଖସି ପଡ଼ିଲାଣି ଛଣ । ଫାଟିଲାଣି ମାଟି କାନ୍ଥ । ତଥାପି ପାମ୍ପରା ବାଉଁଶ ସାହାରାରେ ଜରି ପାଲର ଓଢଣୀ ନେଇ ଛିଡ଼ା ହୋଇଛି ଦଦରା ଛପର ଘରଟି । ସେହି ଘରେ ମୁଣ୍ଡ ଗୁଞ୍ଜୁଛନ୍ତି ଭାନୁମତିଙ୍କ ପରିବାର । ଭଙ୍ଗା ଦଦରା ଚାଳ ଛପର ମାଟି ଘରେ ୱାର୍ଡ ମେମ୍ବର ଭାନୁମତିଙ୍କ ପରିବାର । ଦୀର୍ଘ ବର୍ଷ ହୋଇଗଲାଣି ମିଳୁନି ସରକାରୀ ଯୋଜନାରେ ଘର ଖଣ୍ଡେ । ଲୋକଙ୍କ ପାଇଁ ଲଢ଼ିଲେ ହେଲେ ନିଜ ପାଇଁ ଘର ଖଣ୍ଡେ କରି ପାରିଲେ ନାହିଁ ।
କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁଣ୍ଡି ପଞ୍ଚାୟତ ନନ୍ଦକିଶୋରପୁର ଗାଁର ୱାର୍ଡ ମେମ୍ବର ଭାନୁମତି ଜେନା । ଲୋକଙ୍କ ହକ୍ ପାଇଁ ଲଢ଼େଇ କରିବା ଓ ସମସ୍ୟାକୁ ସମାଧାନ କରିବା ସହିତ ସରକାରୀ ଯୋଜନା କେମିତି ସମସ୍ତଙ୍କ ପାଖରେ ପହଁଞ୍ଚି ପାରିବ ଏ ସବୁ ଦିଗରେ ଆଶା ରଖି ନିର୍ବାଚନ ଲଢ଼ିଥିଲେ । ୱାର୍ଡ ମେମ୍ବରେ ଭାବରେ ନିର୍ବାଚିତ ପରେ ନିଜ ଗ୍ରାମରେ ବସବାସ କରୁଥିବା ଲୋକଙ୍କ ସମସ୍ୟାକୁ ପ୍ରଶାସନ ପାଖରେ ଜଣାଉଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ନିଜର ଘର ଖଣ୍ଡେ କରି ପାରିନାହାନ୍ତି । ଲୋକଙ୍କ ପାଇଁ ଲଢ଼ି ଲଢ଼ି ନିଜେ ଚାଳ ଛପର ଘରେ ଜୀବନ ବିତାଉଛନ୍ତି । ସ୍ୱାମୀ ମୁଲ ଲାଗି ପେଟ ପାଇଁ ଦାନା ଯୋଗାଡ଼ କରି ଦେଉଛନ୍ତି ସତ କିନ୍ତୁ ଘର କରିବା ପାଇଁ ସକ୍ଷମ ନୁହନ୍ତି । ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ ପାଖରେ ବାରମ୍ବାର ଜଣାଇବା ପରେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡେ ପାଇ ପାରିଲେ ନାହିଁ । ପ୍ରଶାସନ ଅଣଦେଖା ପାଇଁ ଭଙ୍ଗା ଦଦରା ଘରେ ବୃଦ୍ଧ ଶାଶୁ ଶ୍ବଶୁର ସହ ପୁରା ପରିବାରକୁ ନେଇ ମୁଣ୍ଡ ଗୁଞ୍ଜୁଛନ୍ତି ଭାନୁମତି ।
ଜୀବନ ଯନ୍ତ୍ରଣାର ସଂଘର୍ଷ ଭିତରେ ସରକାରଙ୍କ ଆବାସ ଯୋଜନାକୁ ସ୍ବପ୍ନ ଭାବି ବସି ରହିଛନ୍ତି ଭାନୁମତିଙ୍କ ପରିବାର । ବହୁ ବର୍ଷ ହେଲାଣି ଗୋଟିଏ ଚାଳ ଛପର ଖଞ୍ଜା ଘରେ ୧୨ ଜଣ ପ୍ରାଣୀ କଷ୍ଟେ କଷ୍ଟେ ରହି ଆସୁଛନ୍ତି । ସ୍ୱାମୀଙ୍କ ତିନି ଭାଇ ତାଙ୍କ ସ୍ତ୍ରୀ ପୁଅଝିଅ – ମଧ୍ୟ ସେହି ଘରେ ରହୁଥିବା ବେଳେ ପ୍ରଶାସନକୁ ଗୁହାରି କରି କରି ଆବାସ ଯୋଜନା ଖଣ୍ଡେ ପାଇ ପାରିଲେ ନାହିଁ । କେତେବେଳେ ଘର ଭିତରେ ବିଷାକ୍ତ ସାପ ବାହାରୁଛି ତ କେତେ ବେଳେ ବିଛା । ଭୟ ଭିତରେ ଜୀବନକୁ ବାଜି ଲଗାଇ ମୁଣ୍ଡ ଗୁଞ୍ଜୁଛନ୍ତି ଭାନୁମତିଙ୍କ ପରିବାର ।
ଏନେଇ ଆମେ ବିଡିଓ ଦାୟିତ୍ୱରେ ଥିବା ମାହାଙ୍ଗା ତହସିଲଦାର ସୁବାଶିଷ ପାଲଟାଙ୍କୁ ପଚାରିବାରୁ ସେ କହିଛନ୍ତି ତଦନ୍ତ କରି ଯଦି ଯୋଗ୍ୟ ବିବେଚିତ ହେବେ ତାଙ୍କୁ ଘର ପ୍ରଦାନ କରିବେ । ବ୍ଲକ ପ୍ରଶାସନର ଅଣଦେଖା ପାଇଁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ପାଇ ପାରିଲେ ନାହିଁ ଭାନୁମତି । ତେବେ ଖାଲି ଦେଖିବାକୁ ରହିଲା ବ୍ଲକ ପ୍ରଶାସନ କେବେ ଭାନୁମତିଙ୍କ ଦୁଃଖ ବୁଝୁଛି ।

