ହରଭଙ୍ଗା: ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଅଜବ ନୀତି । ଆର.ଟି.ଇ ନିୟମ ପାଇଁ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ବନ୍ଦ ହେଲାଣି ୩୦ରୁ ଉର୍ଦ୍ଧ୍ବ ବିଦ୍ୟାଳୟ । ନିକଟସ୍ଥ ବିଦ୍ୟାଳୟରେ ପିଲାଙ୍କୁ ସାମିଲ ପରେ ବି ପ୍ରାକୃତିକ ପ୍ରତିବନ୍ଧକ ପାଇଁ ଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ଫଳରେ ବଢୁଛି ବ୍ଲକରେ ପିଲାଙ୍କ ଡ୍ରପ୍ ଆଉଟ ସଂଖ୍ୟା । ଭିତ୍ତିଭୂମି ଥାଇ ମଧ୍ୟ ବିପର୍ଯ୍ୟସ୍ଥ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ।
ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବିଦ୍ୟାଳୟ କୋଠା ଏବେ ପାଲଟିଛି ଭୂତକୋଠି । କେଉଁଠି ଜଙ୍ଗଲର ଭ୍ରମ ସୃଷ୍ଟି ହେଉଛି ତ ଆଉ କେଉଁଠି ଅସାମାଜିକ ବ୍ୟକ୍ତିମାନଙ୍କ ଆଡାସ୍ଥଳୀ ପାଲଟିଛି । ଏ ଦୃଶ୍ୟ ହେଉଛି ୨୦୧୧ ମସିହାରେ ସ୍ଥାପିତ ହୋଇଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜିଆଁକଟା ପ୍ରାଥମିକ ବିଦ୍ୟାଲୟର । ଦିନ ଥିଲା ବିଦ୍ୟାଳୟଟି ପିଲାଙ୍କ ପାଠପଢାରେ ଫାଟି ପଡୁଥିଲା । ଆଉ ଏବେ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । କେବଳ ଜିଆଁକଟା ନୁହଁ ହରଭଙ୍ଗା ବ୍ଲକର ୩୦ରୁ ଉର୍ଦ୍ଧ୍ବ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଏଭଳି । ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ୨୦ରୁ କମ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିବା ବିଦ୍ୟାଳୟ ଗୁଡିକ ବନ୍ଦ କରାଯିବା ସହିତ ସମ୍ପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ବିଦ୍ୟାଳୟରେ ସାମିଲ କରିବା । ହେଲେ ରାସ୍ତା, ନାଳ, ଗାଡିଆ, ଜଙ୍ଗଲ, ଦୂରତା ଭଳି ବିଭିନ୍ନ ପ୍ରତିବନ୍ଧକ ପାଇଁ ବିଦ୍ୟାଳୟକୁ ଯାଇ ପାଠପଢିବା ପାଇଁ ଉଚିତ ମଣୁନାହାନ୍ତି ଛାତ୍ରଛାତ୍ରୀ । କେବଳ ୨୦ ଛାତ୍ରାଛାତ୍ରୀ ଥିବା ବିଦ୍ୟାଳୟ ନୁହଁ ୩୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡିକ ମଧ୍ୟ ହୋଇଯାଇଥିବା ଅଭିଯୋଗ ହୋଇଛି । ଏହି କ୍ରମରେ ରାଜ୍ୟ ସରକାର ବନ୍ଦ ପଡିଥିବା ବିଦ୍ୟାଳୟକୁ ପୁନଃ ଚାଲୁ କରିବା ଦିଗରେ ଦୃଷ୍ଟି ଦେବାକୁ ଦାବି କରୁଛନ୍ତି ଗ୍ରାମବାସୀ ।
ଅନ୍ୟପଟେ ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ କାରଣରୁ ଶିକ୍ଷାଦାନରେ ସମସ୍ୟା ସୃଷ୍ଟି ହୋଇଛି । ଏପଟେ ଏହାକୁ ନେଇ ସର୍ବଦା ଚିନ୍ତାରେ ରହି ଆସୁଥିବା ଅଭିଭାବକଙ୍କ ଉପରେ ସରକାରଙ୍କ ଏହି ନିର୍ଦ୍ଦେଶାନାମା ବୋଝ ଉପରେ ନଳିତା ବିଡା ସାଜିଛି । ବ୍ଲକରେ ସବୁଦିନ ପାଇଁ ବନ୍ଦ ପଡିଥିବା ବିଦ୍ୟାଳୟ ଗୁଡିକ ପାଇଁ ବଢି ଚାଲିଛି ପିଲାଙ୍କ ଡ୍ରପ୍ ଆଉଟ ସଂଖ୍ୟା । ଫଳରେ ଗାଁରେ ବହୁ ପିଲାମାନେ ପାଠ ନପଢି ବିଭିନ୍ନ କାମରେ ନିୟୋଜିତ ହେଉଛନ୍ତି । ଯାହା ଫଳରେ ବ୍ଲକରେ ଏବେ ଭୁଷୁଡିବାରେ ଲାଗିଛି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବୋଲି କହିଛନ୍ତି ଅବିଭାବକ ।
ବିଦ୍ୟାଳୟରେ ଯେ କେବଳ ଶିକ୍ଷକ ସମସ୍ୟା ରହିଛି ତାହା ନୁହଁ ବ୍ଲକରେ ବିପର୍ଯ୍ୟସ୍ଥ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସାଙ୍ଗକୁ ଡ୍ରପ୍ ଆଉଟ ପିଲାଙ୍କ ସଂଖ୍ୟା ବୃଦ୍ଧି ହେଉଛି । ତେବେ ଏହାର ବିଚାର କରି ତୁରନ୍ତ ବନ୍ଦ ପଡିଥିବା ବିଦ୍ୟାଳୟ ଗୁଡିକୁ ଖୋଲାଯିବା ଜରୁରୀ ହୋଇପଡ଼ିଛି ।

