ତିହିଡି, ୦୫.୦୨: ହତ୍ୟା ମାମଲାରେ ହାତ ବାନ୍ଧି ବସିଛି ଭଦ୍ରକ ଜିଲ୍ଲା ପୀରହାଟ ପୋଲିସ, ପ୍ରତିବାଦରେ ଏସପିଙ୍କୁ ଭେଟିଲେ ମୃତକ ପରିବାର । ଧାନ ପିଟା ମେସିନରୁ ଗୁଣ୍ଡି ବାହାରିବାକୁ କେନ୍ଦ୍ରକରି ଏହି ଥାନାଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗୋପାଳସାହି ଗ୍ରାମର ଜଣେ ଯୁବକଙ୍କୁ ସେହି ଗ୍ରାମର କେତେକ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯିବା ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ୍ କରୁନି । ଯାହାର ପ୍ରତିବାଦରେ ମୃତକ ପରିବାର ପକ୍ଷରୁ ଏସପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି । ସୂଚନା ମୁତାବକ, ଗତ ୨୮ ତାରିଖ ସନ୍ଧ୍ୟା ବେଳେ ପୀରହାଟ ଥାନାଧିନ ସୁନ୍ଦରପୁର ପଞ୍ଚାତ ଅଧିନ ଗୋପାଳ ସାହିର ବିଜୟ ବେହେରା ନାମକ ଜଣେ ଯୁବକ ଓ ଅନ୍ୟ କେତେକ ବ୍ୟକ୍ତି ଧାନ ପିଟା ମେସିନରେ ଧାନ ପିଟୁ ଥିଲେ । ତେବେ ମେସିନରୁ ଗୁଣ୍ଡି ଉଡିବାକୁ ନେଇ ସେହି ଗାଁର ମାନ ଗୋବିନ୍ଦ ବେହେରା ବିଜୟଙ୍କ ଉପରେ ପାଟି ତୁଣ୍ଡ କରିବା ସହିତ ତାଙ୍କ ସମ୍ପର୍କୀୟ ମାନଙ୍କୁ ଡାକି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ ଶିକାର ହେବାପରେ ବିଜୟଙ୍କୁ ଗୁରୁତର ଅବସ୍ତାରେ ତିହିଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣିଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକେ ପୀରହାଟ ଥାନାରେ ଅଭିଯୋଗ କରିଥିଲେ ଏବଂ ପୋଲିସ ଏକ ମାମଲା ରୁଜୁ କରିଛି । ପୋଲିସ ପକ୍ଷରୁ ଏଯର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ବେଳେ ଅଭିଯୁକ୍ତ ମାନେ ଓଲଟି ମୃତକଙ୍କ ପରିବାରକୁ ନାନାଦି ଧମକ ଚମକ ଦେଉଛନ୍ତି । ନ୍ୟାୟ ପାଇଁ ମୃତକ ପରିବାର ଲୋକେ ଏସପିଙ୍କୁ ଭେଟି ଅଭିଯୋଗ କରିବା ସହ ସେମାନଙ୍କ ସୁରକ୍ଷା ଦାବୀ କରିଛନ୍ତି । ତେବେ ଅଭିଯୁକ୍ତମାନଙ୍କୁ ଗିରଫ୍ କରାଯିବ ବୋଲି ଏସପି ପ୍ରତିଶୃତି ପ୍ରତିଶୃତି ଦେଇଥିବା ଜଣାଯାଇଛି । ତେବେ ପୋଲିସ ଆଗାମି ଦିନରେ କି ପ୍ରକାର ପଦକ୍ଷେପ ନେଉଛି ତାହା ଦେଖିବା ବାକି ରହିଲା ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

