ମୁମ୍ବାଇ- ୨୬ ଜାନୁଆରୀ ୨୦୨୬ :
ବମ୍ବେ ଓଡ଼ିଆ ମହିଳା ମହାସଂଘ (BOWA) ଗଣତନ୍ତ୍ର ଦିବସକୁ ଅତ୍ୟନ୍ତ ଉତ୍ସାହ ଓ ଗୌରବର ସହିତ ପାଳନ କରିଥିଲା। ଏହି ଅବସରରେ ସଂଘର ବାର୍ଷିକ ଉତ୍ସବ ମରାଠୀ ସାହିତ୍ୟ ନାଟ୍ୟ ମନ୍ଦିର, ଭାଶୀ, ନଭି ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। 34 ବର୍ଷ ପୂର୍ବେ ସ୍ଥାପିତ ଏହି ମହାସଂଘ ତାହାର ସ୍ଥାପିକା ଓ ଅଧ୍ୟକ୍ଷା ଡ଼. କlନନିକା ତ୍ରିପାଠୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସାମାଜିକ କଲ୍ୟାଣ କାର୍ଯ୍ୟରେ ନିରନ୍ତର ଅଗ୍ରଣୀ ଭୂମିକା ନିଭାଇଆସୁଛି। ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଆ ନାଟକ “ସୂର୍ଯ୍ୟବଂଶୀ କପିଳା”, ଯାହା ଗୋପାଳ ଚନ୍ଦ୍ର ତ୍ରିପାଠୀଙ୍କ ଲେଖନୀ ଓ ନିର୍ଦ୍ଦେଶନାରେ ଉପସ୍ଥାପିତ ହୋଇ ଦର୍ଶକମାନଙ୍କୁ ଗଭୀର ଭାବେ ମନ୍ତ୍ରମୁଗ୍ଧ କରିଥିଲା। ଏହି ଅବସରରେ ବମ୍ବେ ଓଡ଼ିଆ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଯୋଗଗୁରୁ ଓ ଜାତୀୟ ଯୁବ ପୁରସ୍କାର ପ୍ରାପ୍ତ ଡ଼. ବିଜୟକୁମାର ମହାରଣାଙ୍କୁ ଯୋଗରେ ତାଙ୍କର ଅସାଧାରଣ ଅବଦାନ ପାଇଁ ପ୍ରତିଷ୍ଠିତ “ବିଜୟ କେଡିଆ ପୁରସ୍କାର” ପ୍ରଦାନ କରାଯାଇଥିଲା। ସଭାକୁ ସମ୍ବୋଧନ କରି ଡ଼. କନନିକା ତ୍ରିପାଠୀ କହିଥିଲେ,“ମୁଁ ଡ଼. ବିଜୟଙ୍କୁ ଗତ ତିନି ଦଶକ ଧରି ଜାଣିଛି l ମୁମ୍ବାଇରେ ଯୋଗ ଡାକ୍ତର ହେବା ପାଇଁ ସେ ଭୟଙ୍କର ସଂଘର୍ଷ କରିଛନ୍ତି। ଆଜି ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ପୃଥିବୀର ପ୍ରଥମ ଯୋଗ ଡାକ୍ତର ହୋଇ ଇତିହାସ ସୃଷ୍ଟି କରିଛନ୍ତି ଓ ଯୋଗ କ୍ଷେତ୍ରରେ ଅନେକ ସ୍ୱର୍ଣ୍ଣ ପଦକ ଅর্জନ କରିଛନ୍ତି। ଏହା ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଷ୍ଟିକୋଣ ସହ ସମ୍ପୂର୍ଣ୍ଣ ମେଳ ଖାଉଛି।” ସେ ଆହୁରି କହିଥିଲେ ଯେ ଡ଼. ବିଜୟ ମହାରଣା ଏକ ପ୍ରକୃତ ଡାକ୍ତର, କାରଣ ସେ ଯୋଗ ଉପରେ ଗଭୀର ଶାସ୍ତ୍ରୀୟ ଗବେଷଣା କରିଛନ୍ତି। BOWA ପୂର୍ବରୁ ମଧ୍ୟ ସମାଜ ପାଇଁ ଅପୂର୍ବ ଅବଦାନ ରଖିଥିବା ଓଡ଼ିଆ ମହାନୁଭାବମାନଙ୍କୁ ସମ୍ମାନିତ କରିଆସିଛି, ଯଥା ଏସିଆନ୍ ହାର୍ଟ ଇନ୍ଷ୍ଟିଟ୍ୟୁଟ୍ର ସ୍ଥାପକ ରମାକାନ୍ତ ପଣ୍ଡା, ଅମୂଲ୍ୟ ସାହୁ, ପ୍ରସିଦ୍ଧ ନିର୍ଦ୍ଦେଶକ ଓ ପ୍ରଯୋଜକ ଏବଂ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ଏ. କେ. ବୀର। ସେ କହିଥିଲେ,
“ଏହି ବର୍ଷ ଆନ୍ତର୍ଜାତୀୟ ଯୋଗ ଗୁରୁ ଡ଼. ବିଜୟକୁମାର ମହାରଣାଙ୍କୁ ତାଙ୍କର ନିଷ୍କାମ ସେବା, ଦାନଶୀଳ କାର୍ଯ୍ୟ ଓ ଯୋଗ ପ୍ରଚାର ପାଇଁ ସମ୍ମାନିତ କରିବା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ।”ଡ଼. ବିଜୟକୁମାର ମହାରଣା ଓଡ଼ିଶାର କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ଉପଖଣ୍ଡର ଘସିପୁରା ଅଞ୍ଚଳର ଖଲିଆମେଣ୍ଟା ଗାଁର ନିବାସୀ। ସେ ଜାତୀୟ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଙ୍ଗାଧର ମହାରଣା ଓ ଶ୍ରୀମତୀ ଯଶୋଦା ଦେବୀଙ୍କ ଜ୍ୟେଷ୍ଠ ପୁତ୍ର। ଏହି ସମ୍ମାନ ଯୁବପିଢ଼ି ପାଇଁ ଏକ ମହାନ ପ୍ରେରଣା ଓ ଏହା ପ୍ରମାଣ କରେ ଯେ ନିରନ୍ତର ପରିଶ୍ରମ ଓ ଦୃଢ଼ ସମର୍ପଣଭାବ ନିଶ୍ଚୟ ସଫଳତା ଆଣିଥାଏ।
ବମ୍ବେ ଓଡ଼ିଆ ମହାସଂଘର ସ୍ଥାପକ ଓ ଅଧ୍ୟକ୍ଷ ଡ଼. ବିପିନ ବିହାରୀ ମିଶ୍ର ଡ଼. ମହାରଣାଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ,“ମୁଁ ଡ଼. ବିଜୟ ମହାରଣାଙ୍କୁ ଦୀର୍ଘଦିନ ଧରି ଜାଣିଛି। ଟାଟା ମେମୋରିଆଲ୍ କ୍ୟାନ୍ସର ହସ୍ପିଟାଲ୍, ମୁମ୍ବାଇରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ମାଧ୍ୟମରେ ତାଙ୍କର ଅବଦାନ ଅଭୁଲନୀୟ। ଏପରି ଏକ ନିଷ୍ଠାବାନ ବ୍ୟକ୍ତିତ୍ୱକୁ ୩୪ ବର୍ଷ ପୁରୁଣା ବମ୍ବେ ଓଡ଼ିଆ ମହିଳା ସଂଘ ସମ୍ମାନିତ କରିଥିବାରୁ ମୁଁ ଅତ୍ୟନ୍ତ ଖୁସି।”ଡ଼. ମିଶ୍ର ଡ଼. କlନନିକା ତ୍ରିପାଠୀଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ ସେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିବେ ଯେ ଡ଼. ବିଜୟକୁମାର ମହାରଣାଙ୍କୁ ଓଡ଼ିଶାର ଯୁବପିଢ଼ି ଓ ଶିଶୁମାନଙ୍କୁ ଯୋଗ ମାଧ୍ୟମରେ ପ୍ରେରିତ କରିବା ପାଇଁ ଆମନ୍ତ୍ରଣ କରାଯାଉ।

