ଭୁବନେଶ୍ବର: ମହାନଦୀ ଟ୍ରିବ୍ୟୁନାଲ୍ର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ମାସରେ ଶେଷ ହେବ। ଟ୍ରିବ୍ୟୁନାଲ୍ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷରେ ପହଞ୍ଚିନାହାନ୍ତି। କିନ୍ତୁ ଟ୍ରିବ୍ୟୁନାଲ୍ର କାର୍ଯ୍ୟକାଳ ବଢ଼ାଇବାକୁ ଓଡ଼ିଶା ସରକାର ଲିଖିତ ଭାବେ କେନ୍ଦ୍ରକୁ ଜଣାଇନାହାନ୍ତି। ଛତିଶଗଡ଼ ସରକାର ବି ନିରବ ଅଛନ୍ତି। ଫଳରେ ଟ୍ରିବ୍ୟୁନାଲ୍ର ଭବିଷ୍ୟତ ନେଇ ଆଶଙ୍କା ଦେଖାଦେଇଛି। ଏପଟେ ଦୁଇ ରାଜ୍ୟ ମଧ୍ୟରେ ଆପୋସ ସମାଧାନର ବାଟ ମଧ୍ୟ ଆଗେଇ ପାରିନାହିଁ। ଏହାକୁ ନେଇ ସଚେତନ ନାଗରିକଙ୍କ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଗତ ୧୭ ତାରିଖରେ ହୋଇଥିବା ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରେ କୁହାଯାଇଥିଲା ଯେ ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ ଅବଧି ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି। ୯ ମାସ ଧରି ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଟ୍ରିବ୍ୟୁନାଲ୍ର କାର୍ଯ୍ୟରେ ଅଗ୍ରଗତି ହୋଇ ନଥିଲା। ତେଣୁ ଆଉ ଏକ ବର୍ଷ ଦରକାର ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଟ୍ରିବ୍ୟୁନାଲ୍ର ରେଜିଷ୍ଟ୍ରାର ଓଡ଼ିଶା ସରକାରଙ୍କ ଓକିଲଙ୍କ ପାଖକୁ ଲେଖିଥିବା ପତ୍ର ଭିନ୍ନ ତଥ୍ୟ ଦର୍ଶାଉଛି। ଏଥିରେ କୁହାଯାଇଛି, ମହାନଦୀ ଟ୍ରିବ୍ୟୁନାଲ୍ର କାର୍ଯ୍ୟକାଳ ବଢ଼ାଇବା ଲାଗି ଉଭୟ ରାଜ୍ୟ ଚଳିତମାସର ପ୍ରଥମ ସପ୍ତାହରେ ଲିଖିତ ଭାବେ ଜଣାଇବା ପାଇଁ ଧାର୍ଯ୍ୟ ହୋଇଥିଲା। ମାତ୍ର ଦୁଇ ରାଜ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହାକୁ ନେଇ ଟ୍ରିବ୍ୟୁନାଲ୍ ଉଭୟ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି।

