ତିହିଡ଼ି, ୨୨.୦୧: ସମାଜ ଓ ପ୍ରକୃତି ଜଗତରେ ସନ୍ତୁଳନ ସ୍ଥାପନ କରିବାର ଏକ ସାମୁହିକ ପ୍ରୟାସ ହେଉଛି ‘ନିରନ୍ତର ବିକାଶ’ ଆଭିମୁଖ୍ୟ । ଏହା ବିଗତ ୨୦୧୫ ମସିହାରୁ ଜାତିସଂଘ ଦ୍ୱାରା ଗ୍ରହଣ କରାଯାଇଥିବା ୧୭ଟି ବିଶ୍ୱସ୍ତରୀୟ ଲକ୍ଷ୍ୟ ସମୂହ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ଆଗାମୀ ୨୦୩୦ ସୁଦ୍ଧା ସମାଜରୁ ଦାରିଦ୍ର ମୁକ୍ତ, କ୍ଷୁଧା ମୁକ୍ତ, ସୁସ୍ଥ ନିରାମୟ ଜୀବନ, ଗୁଣାତ୍ମକ ଶିକ୍ଷା, ଲିଙ୍ଗଗତ ସମାନତା, ସ୍ୱଚ୍ଛ ଜଳ ଓ ପରିମଳ, ସୁଲଭ ଓ ସ୍ୱଚ୍ଛ ଶକ୍ତି, ମର୍ଯ୍ୟାଦାସମ୍ପନ୍ନ କାର୍ଯ୍ୟ ଓ ଅର୍ଥନୈତିକ ବିକାଶ, ଶିଳ୍ପ, ଉଦ୍ଭାବନ ଓ ଭିତ୍ତିଭୂମି, ଅସମାନତା ହ୍ରାସ, ସହର ଜନ ସମୂଦାୟର ସ୍ଥାୟୀତ୍ୱ, ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଓ ଦୀର୍ଘସ୍ଥାୟୀ ଉତ୍ପାଦନ, ଜଳବାୟୁ ଭିତ୍ତିକ କାର୍ଯ୍ୟ ପନ୍ଥା, ଜଳ ଭିତରର ଜୀବନ, ସ୍ଥଳ ଭାଗରେ ଜୀବନ, ଶାନ୍ତି ନ୍ୟାୟ ଏବଂ ଦୃଢ ପ୍ରତିଷ୍ଠାନ ଓ ଲକ୍ଷ୍ୟ ହାସଲ ନିମନ୍ତେ ସହଭାଗିତା ଇତ୍ୟାଦିକୁ ସୁନିଶ୍ଚିତ କରିବା । ଏହାର ସଫଳତା ପାଇଁ ସଚେତନତା, ସକ୍ରିୟ ଭାଗୀଦାରି ଓ ଦାୟିତ୍ୱବୋଧ ଅତ୍ୟାବଶ୍ୟକ ବୋଲି ତିହିଡ଼ି ବ୍ଳକ୍ ପ୍ରଶାସନ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ବ୍ଲକସ୍ତରୀୟ ପ୍ରଶିକ୍ଷଣ କର୍ମଶାଳାରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ବିଡ଼ିଓ ନିରଞ୍ଜନ ବାରିକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଓ ପ୍ରଶିକ୍ଷଣ ଭାବେ ଜିଲ୍ଲା ପ୍ଲାନିଂର ଡେପୁଟି ଡାଇରେକ୍ଟର ପ୍ରହ୍ଲାଦ ରଣା, ଅତିରିକ୍ତ ବିଡିଓ ମୀନକେତନ ବାରିକ, ଭଗବାନ ବାରିକ, ରଶ୍ମିତା ପୃଷ୍ଟି, ପାଳିଆବିନ୍ଧା କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ବିଶ୍ୱରଂଜନ ଦାସ ଓ ତିହିଡ଼ି ଡିଗ୍ରୀ କଲେଜ ଅଧ୍ୟକ୍ଷ ରମେଶ ପ୍ରତାପ ଯୋଗଦେଇ ସମସ୍ତଙ୍କ ସହଯୋଗରେ ଗ୍ରାମ୍ୟ ସମାଜ, ଲୋକ ସଭ୍ୟତା ଓ ପୃଥିବୀରେ ନିରନ୍ତର ବିକାଶର ସଫଳତା ହାସଲ କରିପାରିବ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକସ୍ତରୀୟ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସମବାୟ ସମିତି ସମ୍ପାଦକ ଓ ବିଭିନ୍ନ ବିଭାଗର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ

