ଭୁବନେଶ୍ବର: ମାନବ ସଭ୍ୟତାରେ ପ୍ରାଣୀ ପାଳନର କାର୍ଯ୍ୟ ପ୍ରାଚୀନ। ଇତିହାସରୁ ଜଣାଯାଏ, ୧୦ ହଜାର ବର୍ଷ ପୂର୍ବରୁ ମଣିଷ ଯାଯାବର ଭାବରେ ଜୀବନଯାପନ କରୁଥିଲା। ପରବର୍ତ୍ତୀ ସମୟରେ ନିଶ୍ଚିତ ଭାବେ କୃଷି ଜୀବନ ଶୈଳୀ ଚିନ୍ତା କରିଥିବ। ଏଥି ସହିତ ପ୍ରାଣୀ ପାଳନ କରିବାକୁ ମଧ୍ୟ ଚିନ୍ତା କରିଥିବ। କାରଣ ପ୍ରାଣୀ ସମ୍ପଦର ଆବଶ୍ୟକତା ମଧ୍ୟ ଭାବିଥିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ମତ୍ସ୍ୟ-ପ୍ରାଣୀ ସମାବେଶ-୨୦୨୬ରେ ଏହା କହିଛନ୍ତି।
ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମନୁଷ୍ୟ ସହିତ ପ୍ରାଣୀଙ୍କର ଜୀବନ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ପ୍ରାଣୀଙ୍କ ଠାରୁ ଉତ୍ପାଦିତ ସାମଗ୍ରୀକୁ ଆମେ ବ୍ୟବହାର କରୁଥିବାରୁ ଏହାକୁ ବ୍ୟବସାୟିକ ଦୃଷ୍ଟି କୋଣରୁ ଦେଖାଯାଉଛି। ଆମ ରାଜ୍ୟର ୬୦ ପ୍ରତିଶତ ଲୋକ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରାଜ୍ୟର ଅଧିକାଂଶ ଲୋକ କୃଷି ଏବଂ ଆନୁସାଙ୍ଗିକ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଦୁଃଖର ବିଷୟ ବିଗତ ସରକାର ଅଢ଼େଇ ଦଶନ୍ଧି ଧରି କ୍ଷମତାରେ ରହି ଚାଷୀଙ୍କ ମାସିକ ଆୟକୁ ଗୁରୁତ୍ବ ଦେଇ ନଥିଲେ। ଶାସନର ସ୍ଥିରତା ଥିବା ସତ୍ତ୍ବେ ଚାଷୀଙ୍କର ଉନ୍ନତି ନଆସିବା ଦୁଃଖର ବିଷୟ। ଓଡ଼ିଶାର ଚାଷୀଙ୍କର ଆୟ ତଳ ଆଡୁ ଦେଶରେ ଦ୍ବିତୀୟ ସ୍ଥାନ ଥିଲା। ପୂର୍ବ ସରକାରରେ ୫୧୧୨ ମାସିକ ଆୟ ଥିଲା।

