ବାରିପଦା/ଖୋର୍ଦ୍ଧା: ଗୋତସ୍କରଙ୍କୁ ଆଉ ନିସ୍ତାର ନାହିଁ। କେନ୍ଦୁଝର ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ୍ ‘ଗୋରକ୍ଷା’। ଏହି ଅପରେସନ୍ରେ ୫ଟି ଜିଲ୍ଲାର ୪୬ଟି ସ୍ଥାନରେ ପୁଲିସ ଚଢ଼ଉ କରି ଏ ପର୍ଯ୍ୟନ୍ତ ୧୦ ଜଣ ଗୋମାଫିଆଙ୍କୁ ଅଟକ ରଖିଛି। ସେମାନଙ୍କ ଘରୁ ନଗଦ ୧ କୋଟି ୫୨ ଲକ୍ଷ ୮୨ ହଜାର ୫୦୫ ଟଙ୍କା, ୧ କେଜି ୧୩୦ ଗ୍ରାମ୍ ସୁନା, ୩ କେଜି ୮୦ ଗ୍ରାମ ରୁପା, ୨୩ଟି ଚାରିଚକିଆ ଗାଡ଼ି, ୨୩ଟି ବାଇକ୍ ଜବତ କରିଛି। ଗୋମାଫିଆଙ୍କ ବ୍ୟାଙ୍କଜମା, କୋଠା, ଜମି ଆଦି ପ୍ରାୟ ୫୦ କୋଟି ଟଙ୍କାରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ପୁଲିସ ଚିହ୍ନଟ କରିସାରିଛି। ଏହାର ଜବତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଗୋତସ୍କରରୁ ଅର୍ଜିତ ଶହେ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ କରାଯିବ ବୋଲି କେନ୍ଦୁଝର ଏସ୍ପି ନୀତିନ କୁଶଲକର ସୂଚନା ଦେଇଛନ୍ତି। ଗୋଚାଲାଣକାରୀଙ୍କ ବିରୋଧରେ ଏହା ସବୁଠାରୁ ବଡ ଚଢ଼ଉ। ଆସନ୍ତାକାଲି ଏ ସଂପର୍କରେ ବିସ୍ତୃତ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।
କେନ୍ଦୁଝର ପୁଲିସ ନେତୃତ୍ବରେ ଆଜି ଭୋର୍ରୁ କେନ୍ଦୁଝର, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲାର ୪୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଆସନ୍ତାକାଲି ପର୍ଯ୍ୟନ୍ତ ଚଢ଼ଉ ଜାରି ରହିବ ବୋଲି ସୂଚନା ମିଳିଛି। ଦୈତାରି ଥାନା କେସ୍ ନମ୍ବର ୧୦୭/୨୦୨୫ର ତଦନ୍ତ ବେଳେ ଗୋଚାଲାଣ ପଛରେ ଏକ ସିଣ୍ଡିକେଟ୍ ଥିବା ଜଣାପଡ଼ିଥିଲା। ଖୋଳତାଡ଼ ବେଳେ ଏହାର ଚେର ୫ଟି ଜିଲ୍ଲା ସମେତ କଟକ, ଭୁବନେଶ୍ବରକୁ ଲମ୍ବିଥିବା ଜଣାପଡ଼ିଥିଲା। ତଦନୁଯାୟୀ ଆଜି ଦୁଇ ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ୫ ଡିଏସ୍ପି, ୨୫ ଇନ୍ସପେକ୍ଟର, ୩୬ ଏସ୍ଆଇ, ୧୮ ପ୍ଲାଟୁନ୍ ଫୋର୍ସ ଚଢ଼ଉ କରିଥିଲେ।

