ତିହିଡି, ୧୪.୦୧ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମହରମପୁର ପଞ୍ଚାୟତ ଅଧୀନ ଷାଠିବାଟୀ ଗାଁର ୧୨୪ ବର୍ଷର ନିଆରା ପରମ୍ପରା । ପରମ୍ପରା ଅନୁଯାଇ ମକର ସଂକ୍ରାନ୍ତିରେ ଏହି ଗାଁର ମିଳିତଭାବେ ଏକଜୁଟ ହୋଇ ଗ୍ରାମବାସୀ ଅସହାୟମାନଙ୍କୁ ଖାଦ୍ୟ ସମେତ ବସ୍ତ୍ର ପ୍ରଦାନ କରିଥାନ୍ତି । ଅନ୍ୟପଟେ ଅସହାୟମାନେ ଗାଁର ପରମ୍ପରାକୁ ଯଥୋଚିତ ସମ୍ମାନ ଦେବା ସହିତ ବିନା ଦ୍ୱିଧାରେ ଗାଁକୁ ଆସି ଏହି ଦିନରେ ଲୋକଙ୍କ ସହାୟତା ଗ୍ରହଣ କରିଥାନ୍ତି । ଆଜିର ସମାଜରେ ଅସହାୟମାନଙ୍କୁ ଚିହ୍ନଟ କରିବା ବଡ଼ ମୁସ୍କିଲି ହୋଇଥିବାବେଳେ ମକର ସଂକ୍ରାନ୍ତୀରେ ଏହି ଗାଁକୁ ଶହଶହ ଅସହାୟମାନେ ଛୁଟି ଆସିଥାନ୍ତି । ଆଉ ଗାଁର ଅଧିବାସୀମାନେ ବଡ଼ ଉତ୍କଣ୍ଠା ସହିତ ସେମାନଙ୍କୁ ଆପ୍ୟାୟିତ ମଧ୍ୟ କରିଥାନ୍ତି । ସେହିପରି ଏହି ଗାଁର ପରମ୍ପରା ସହିତ ଜଡ଼ିତ ଥିବା ନାଥ ଓ ଭାଟ ବର୍ଗର ଲୋକେ ମକର ସଂକ୍ରାନ୍ତୀର ପୂର୍ବଦିନ ରାତିରେ ଏହି ଗାଁକୁ ଆସିଥାନ୍ତି ଏବଂ ଅତିଥିଭାବେ ରହିଥାନ୍ତି । ବଡି ଭୋରୁ ଉଠି ନିତ୍ୟକର୍ମ ସାରି ଗାଁ ସାରା ବୁଲି ସହାୟତା ଗ୍ରହଣ କରିଥାନ୍ତି । ପ୍ରତି ଘରର ଦୁଆରେ ମହିଳା ମୁରବୀ ଟୋକେଇରେ ଚାଉଳ ଧରି ବସିଥାଏ ଏବଂ ଅସହାୟମାନେ ଆସିଲେ ସେମାନଙ୍କୁ ନମସ୍କାର ଜଣାଇ ଚାଉଳ, ପୋଡ଼ ପିଠା ଆଦି ପ୍ରଦାନ କରିଥାନ୍ତି । ତେବେ ସାଂପ୍ରତିକ ଚଳଣିକୁ ଦୃଷ୍ଟିରେ ରଖି ଅସହାୟମାନଙ୍କୁ କେବଳ ଚାଉଳ ଓ ପିଠା ପ୍ରଦାନରେ ସୀମିତ ନକରି ଯୁବଗୋଷ୍ଠୀମାନେ ନୂତନ ବସ୍ତ୍ର ଯଥା ଶାଢୀ, ଧୋତି, ଗାମୁଛା, ପୋଷାକ ଓ କମ୍ବଳ ପ୍ରଦାନ କରିଛନ୍ତି । ବିଶିଷ୍ଟ ଶିକ୍ଷାବିତ୍ ଭାଗିରଥି ଆଚାର୍ଯ୍ୟଙ୍କ ଦେବାଶିଶ ପଣ୍ଡା, ବିଜୟ ଜେନା, ବିଜୟ ପାତ୍ର, ହରେକୃଷ୍ଣ ଆଚାର୍ଯ୍ୟ, ରମେଶ ଯେନା, ଶେଷଦେବ ଯେନା, ସୁବ୍ରତ ଲେଙ୍କା, ଜଗନ ଦାସ, ଡମ୍ବରୁ ଲେଙ୍କା, ଉତ୍ତମ ସେଠୀ, ସୁଶାନ୍ତ ପତି, ଚିତ୍ତରଞ୍ଜନ ଦାସ, ଅଭିରାମ ବାରିକ, ହରେକୃଷ୍ଣ ବେହେରା, ପ୍ରଦୀପ ସେଠୀ, ବାଇଧର ପାତ୍ର, କୁଳମଣୀ ବେହେରା, ହରେକୃଷ୍ଣ ପାତ୍ର, ଅକ୍ଷୟ ସେଠୀ ଓ ବିଦ୍ୟାଧର ସେଠୀ ପ୍ରମୁଖ ଗାଁର ସମସ୍ତ ଯୁବଗୋଷ୍ଠୀ ସହଯୋଗ କରିଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

