ପୁରୀ : ପୁରୀ ଚକବନ୍ଦୀ ଅଫିସରେ ପଡ଼ିଲା ତାଲା । ପତିତପାବନ ନଗରରେ ଥିବା ଚକବନ୍ଦୀ ଓ ବନ୍ଦୋବସ୍ତ କାର୍ଯ୍ୟାଳୟରେ ତୀବ୍ର ଉତ୍ତେଜନା । ବାଟ ଗାଁ, ସମଙ୍ଗରା, ମଙ୍ଗରାଜପୁର,ଆଳିକିଆ, ରେଣ୍ଡୁଅ ଆଦି ୧୧ଟି ଗାଁର ଲୋକେ ଉଭୟ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ୧୯୨୭-୨୮ ମସିହା ବନ୍ଦୋବସ୍ତ ମୁତାବକ ଏସବୁ ଗାଁର ସ୍ଥିତିବାନ ପ୍ରଜା ତତ୍କାଳୀନ ଜମିଦାରଙ୍କୁ ଭୂ-ରାଜସ୍ବ ଖଜଣା ପୈଠ କରି ସ୍ଥିତିବାନ ପ୍ରଜା ହିସାବରେ ଭୋଗ ଦଖଲ କରି ଆସୁଛନ୍ତି ।
ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନ ୧୯୫୪ ଓ ୧୯୭୪ ସଂଶୋଧନ ପରେ ବାଟ ଗାଁ,ସମଙ୍ଗରା ଓ ପୁରୀ ସଦରର ଅନ୍ୟ ମୌଜାରେ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଦାରୀ ସହ ସତେଇଶ ହଜାରୀ ମାହୋଲ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ କରାଗଲା । ୧୯୭୭ ମସିହା ବନ୍ଦୋବସ୍ତରେ ଜମି ପଟ୍ଟାର ଜମିଦାର କଲମରେ ଶ୍ରୀଜଗନ୍ନାଥ ମହାପ୍ରଭୁ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ଉଲ୍ଲେଖ ରହିଲା ।
ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ୧୯୮୮ ମୁତାବକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଦାରୀ ଉଚ୍ଛେଦ ନିଷ୍ପତ୍ତିକୁ ଠିକ୍ ବୋଲି ଦର୍ଶାଇଲେ। ତେବେ ରାଜସ୍ବ ବିଭାଗର ଅବହେଳା ଯୋଗୁଁ ଜମିପଟ୍ଟାର ଜମିଦାରୀ କଲମରେ ଓଡ଼ିଶା ସରକାରଙ୍କ ନାମ ଉଲ୍ଲେଖ ହୋଇନାହିଁ । ୨୦୧୨ ମସିହାରୁ ଭୂସଂପତ୍ତି ବିକ୍ରୀ ,ବନ୍ଧକ ଉପରେ ଶ୍ରୀମନ୍ଦିର ପ୍ରଶାସନ ରୋକ୍ ଲଗାଇଛନ୍ତି । ବର୍ତ୍ତମାନ ବନ୍ଦୋବସ୍ତ ଚାଲିଥିବା ବେଳେ ସଂପୂର୍ଣ୍ଣ ପ୍ରଜା ସ୍ବତ୍ବ କାଟିବା ପାଇଁ ଉଦ୍ୟମ ହେଉଥିବାରୁ ଶହ ଶହ ଗ୍ରାମବାସୀ ଏକାଠି ହୋଇ ଉଭୟ ଚକବନ୍ଦୀ ଓ ବନ୍ଦୋବସ୍ତ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

