ମୟୂରଭଞ୍ଜ : ପୋଲିସ କର୍ମଚାରୀଙ୍କ ଘରୁ ଲୁଟ ଅଭିଯୋଗ । ବେକରେ ଭୁଜାଲି ଲଗାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର । ଅଭିଯୋଗର ୧୨ଘଣ୍ଟା ପରେ ଵି ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଟିକାୟତପୁର ଗାଁରୁ ଆସିଛି ଅଭିଯୋଗ । ଟିକାୟତପୁର ଗାଁର ଶ୍ରୀନିବାସ ବେହେରା ପୋଲିସ କନେଷ୍ଟବଳ ଭାବେ ବେତନଟୀ କୋର୍ଟରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ସାନ ଭାଇ ସୁଶାନ୍ତ ଓ ୮୨ବର୍ଷୀୟା ଅସୁସ୍ଥ ବୁଢୀ ମାଆ ହେମଲତା ବେହେରା ଘରେ ରହୁଥିଲେ ।
ଗତକାଲି ସନ୍ଧ୍ୟାରେ ଅସୁସ୍ଥ ମାଆଙ୍କୁ ଘରେ ଖାଇବା ଦେଇ ବାହାର ପଟୁ ତାଲା ମାରି ଗାଁ ଛକ ଦୋକାନକୁ ସଉଦା କିଣିବାକୁ ଯାଇଥିଲେ । ମାତ୍ର ୧୦ମିନିଟ ପରେ ପଡିଶା ଲୋକ ଫୋନ କରି ସୁଶାନ୍ତକୁ ଖବର ଦେଇଥିଲେ । ତାଙ୍କ ମାଆ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଥିଲେ । କେହି ଜଣେ ଦୁର୍ବୃତ୍ତ ତାଲା ଭାଙ୍ଗି ଘରେ ପଶି ତାଙ୍କୁ ଭୁଜାଲିରେ ଆକ୍ରମଣ କରି ହେମଲତା ପିନ୍ଧିଥିବା ସୁନାହାର, ସୁନା କାନଫୁଲ ଓ ବଳା ନେଇ ଚମ୍ପଟ ମାରିଥିଲା । ସୁଶାନ୍ତ ସଙ୍ଗେ ସଙ୍ଗେ ମାଆଙ୍କୁ ନେଇ ଚିକିତ୍ସା ପାଇଁ ମାଣତ୍ରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

