ଆଜିଠୁ ମହଙ୍ଗା ହେଲା ରେଳ ଭଡ଼ା । ରେଳବାଇର ବଢୁଥିବା ପରିଚାଳନା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଆଜିଠୁ ଟ୍ରେନ ଭଡ଼ା ବୃଦ୍ଧି କରିଛି ରେଳ ମନ୍ତ୍ରାଳୟ । ଅଡିନାରୀ କ୍ଲାସରେ ୨୧୫ କିମିରୁ କମ୍ ଦୂରତାର ରେଳଯାତ୍ରା ପାଇଁ ଭଡ଼ା ଅପରିବର୍ତ୍ତିତ ରହିଛି । ୨୧୫ରୁ ଅଧିକ କିମି ଯାତ୍ରା କଲେ କିଲୋମିଟର ପିଛା ଏକ ପଇସା ବୃଦ୍ଧି ହୋଇଛି । ମେଲ– ଏକ୍ସପ୍ରେସ ପାଇଁ କିଲୋମିଟର ପିଛା ୨ପଇସା ବୃଦ୍ଧି କରାଯାଇଛି । ସମସ୍ତ ଟ୍ରେନର ଏସି କୋଚ ପାଇଁ କିଲୋମିଟର ପିଛା ୨ପଇସା ବୃଦ୍ଧି ହୋଇଛି । ତେବେ ଯଦି ମେଲ କିମ୍ବା ଏକ୍ସପ୍ରେସ ଟ୍ରେନର ନନ ଏସି କୋଚରେ ୫ଶହ କିମିରୁ ଅଧିକ ଦୂର ଯାତ୍ରା କରୁଥାନ୍ତି ସେଠାରେ ୧୦ଟଙ୍କା ଅଧିକ ଦେବାକୁ ପଡ଼ିବ ।
ଭଡ଼ା ବଢିବା ଦ୍ବାରା ଲମ୍ବା ଦୂରତା ଯାତ୍ରା କରିବାକୁ ଯାଉଥିବା ଯାତ୍ରୀଙ୍କୁ ଏଣିକି ପୂର୍ବାପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ତେବେ ଲୋକାଲ ଟ୍ରେନ ଭଡ଼ାରେ କୌଣସି ପରିବର୍ତ୍ତନ ହୋଇନାହିଁ । ମାସିକ ପାସ ଦର ମଧ୍ୟ ଅପରିବର୍ତ୍ତିତ ରହିଛି । ଟ୍ରେନ ଟିକେଟ ଦାମ ବୃଦ୍ଧି ନିଷ୍ପତ୍ତି ପରେ ଯାତ୍ରୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ରେଳବାଇ କର୍ମଚାରୀଙ୍କ ଦରମା ଓ ପେନସନ ବାବଦ ହେଉଥିବା ଖର୍ଚ୍ଚକୁ ଭରଣା କରିବାକୁ ରେଳ ଭଡ଼ା ବୃଦ୍ଧି କରିଛି ରେଳ ମନ୍ତ୍ରାଳୟ ।
ଭାରତରେ ରେଳ କର୍ମଚାରୀଙ୍କ ଦରମା ବାବଦରେ ୧୧ଲକ୍ଷ ୫୦ହଜାର କୋଟି ଓ ପେନସନ ବାବଦରେ ୬୦ହଜାର କୋଟି ଖର୍ଚ୍ଚ ହୋଇଥାଏ । ରେଳ ଭଡ଼ା ବୃଦ୍ଧି ଦ୍ବାରା ରେଳବାଇକୁ ୬ଶହ କୋଟିର ରାଜସ୍ବ ମିଳିବ । ୨୦୨୫ରେ ଏହା ରେଳଭଡ଼ାରେ ଦ୍ବିତୀୟ ଥର ବୃଦ୍ଧି କରାଯାଇଛି । ପୂର୍ବରୁ ଜୁଲାଇ ମାସରେ ମଧ୍ୟ ରେଳଭଡ଼ା ସାମାନ୍ୟ ବୃଦ୍ଧି ହୋଇଥିଲା ।

