କର୍ଣ୍ଣାଟକ : କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲା ହିରିୟୁର୍ ନିକଟସ୍ଥ ଏନଏଚ୍ ୪୮ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଭୋର ପ୍ରାୟ ୩ଟା ବେଳେ ଯାତ୍ରୀବାହୀ ବସକୁ ଧକ୍କା ଦେଇଛିକଣ୍ଟେନର । ଫଳରେ ଦୁର୍ଘଟଣା ପରେ ବସରେ ଅଚାନକ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଛି, ୨୧ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ବସଟି ୩୨ ସିଟ୍ ଥିବାରୁ ୨୯ ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗଲୁରୁରୁ ଶିବମୋଗ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ପରେ ବସ୍ ସମ୍ମୁଖରେ ଥିବା ଡିଜେଲ ଟାଙ୍କି ଫାଟିଯିବାରୁ ନିଆଁ ବ୍ୟାପିଥିବା କୁହାଯାଉଛି । ସେହିପରି ବସରେ ଲାଗିଥିବା ଗଦି ଓ ପ୍ଲାଷ୍ଟିକ ସାମଗ୍ରୀ ମଧ୍ୟ ନିଆଁକୁ ତେଜ ଦେଇଥିଲା । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଅନ୍ୟପଟେ ଦୁର୍ଘଟଣା ପରେ ଗାଡ଼ିର ତାର ଛିଣ୍ଡି ସର୍ଟସର୍କିଟ ଘଟି ନିଆଁକୁ ଭୟଙ୍କର କରିଥିଲା । ଦୁର୍ଘଟଣା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏନେଇ ହିରିୟୁର ଗ୍ରାମୀଣ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । କାହିଁକି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାର ତଦନ୍ତ କରୁଛି ପୋଲିସ ।

