ଡିସେମ୍ବର ୨୯ ତାରିଖରୁ ବାଲେଶ୍ୱର ଜିଲ୍ଲାରେ ସରକାରୀ ଭାବେ ଧାନ କ୍ରୟ ଆରମ୍ଭ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ସରିଥିବା ବେଳେ ସଦର ନିର୍ବାଚନମଣ୍ଡଳୀ ଅଂଚଳରେ ଧାନ କ୍ରୟ ପ୍ରକ୍ରିୟା ସୁରୁଖୁରୁରେ ତଥା ପାରଦର୍ଶିତା ଭାବେ ସମ୍ପାଦନ ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ଧାନକ୍ରୟର ପ୍ରସ୍ତୁତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବିଶେଷ କରି ମଣ୍ଡି ବ୍ୟବସ୍ଥା, ଟୋକନ୍ ପ୍ରଣାଳୀ ଏବଂ ଚାଷୀମାନଙ୍କ ସମସ୍ୟା ଓ ତାହାର ନିରାକରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । କୌଣସି ପରିସ୍ଥିତିରେ ଚାଷୀଭାଇମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେ ଦିଗରେ ବିହିତ ପଦକ୍ଷେପ ନେବାକୁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଚାଷୀଙ୍କ ସ୍ୱାର୍ଥରକ୍ଷା ସହିତ ସାମାଜିକ ଓ ଆର୍ôଥକ ସ୍ଥିତିରେ ଉନ୍ନତି ଏବଂ ନ୍ୟାୟସଙ୍ଗତ ଧାନ କ୍ରୟ ରାଜ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକତା । ତେବେ ଏହି ଧାନକ୍ରୟ ପ୍ରକିୟାରେ ମଧ୍ୟ ରାଜ୍ୟ ସରକାରଙ୍କ ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ ୮୦୦ ଟଙ୍କାର ଇନପୁଟ୍ ସହାୟତାକୁ ମିଶାଇ ଚାଷୀମାନେ ଧାନ କୁଇଂଟାଲ୍ ପିଛା ମୋଟ ୩୧୦୦ ଟଙ୍କା ପୂର୍ବବତ୍ ପାଇବେ ବୋଲି ବିଧାୟକ ଶ୍ରୀ ଦତ୍ତ ସୂଚନା ଦେଇଥିଲେ । ବାଲେଶ୍ୱର ଉପଜିଲ୍ଲାପାଳ ଶିବ ମାଲବିୟଙ୍କ ସମେତ ଧାନକ୍ରୟ ସମ୍ବନ୍ଧୀୟ ବିଭିନ୍ନ ବିଭାଗର ଅଧିକାରୀ ଏହି ବେଠକରେ ଯୋଗଦେଇ ପ୍ରସ୍ତୁତି ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ ।

