ତିହିଡ଼ି – ପାଚିକାଙ୍କୁ ନିଯୁକ୍ତି ବାତିଲ କରିବା ଓ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା। ଏହି ବ୍ଲକର ବାରସର ପଞ୍ଚାୟତ ତଳଦପା ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏପରି ଅଭିଯୋଗ। ଅଭିଯୋଗ ମୁତାବକ, ସମସ୍ତ ସରକାରୀ ନୀତି ବିରୁଦ୍ଧାଚରଣ କରି ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ଜେନା, ଜ୍ୟୋତ୍ସ୍ନାରାଣୀ ମଳିକଙ୍କୁ ପାଚିକା ଭାବେ ନିଯୁକ୍ତି ଦେଇ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ ଏବଂ ଉକ୍ତ ପାଚିକାଙ୍କ ଦ୍ଵାରା ବିଶୃଙ୍ଖଳା ସୃଷ୍ଟି ହେବା କାରଣରୁ ସ୍କୁଲରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ କେନ୍ଦ୍ରକରି ତା ୧୧.୧୧.୨୦୨୫ ତାରିଖ ଠାରୁ ଅଦ୍ୟାବଧୂ ସ୍କୁଲ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆ ଯାଉନାହିଁ । ଏନେଇ ଗତ ୧୭.୧୧.୨୦୨୫ ତାରିଖରେ ଜିଲ୍ଲା ଶିକ୍ଷାଧୂକାରୀ ଏବଂ ବ୍ଲକ ଶିକ୍ଷାଧୂକାରୀଙ୍କୁ ଅବଗତ କରା ଯାଇଥିଲେ ମଧ୍ଯ ସମାଧାନ ହୋଇନାହିଁ। ଗତ ତା ୦୯/୧୨.୨୦୨୫ ତାରିଖରେ ସ୍କୁଲର ପିଲାମାନେ ମଧ୍ୟାହ୍ନ ସମୟରେ ସ୍କୁଲ ପରିସରରେ ଅନଶନରେ ବସିଥିଲେ । ଯେ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଦିଆ ନଯାଇଛି ସେ ପର୍ଯ୍ୟନ୍ତ ସେମାନେ ଆଉ ସ୍କୁଲ ଯିବେ ନାହିଁ ଏବଂ ଉକ୍ତ ପାଚିକାଙ୍କ ନିଯୁକ୍ତି ବାତିଲ କରାନଯିବା ଏବଂ ସେମାନଙ୍କର ଉକ୍ତ ସମସ୍ୟାକୁ ଗୁରୁତ୍ୱ ନଦିଆଯିବା ପର୍ଯ୍ୟନ୍ତ ପିଲାମାନେ ସବୁଦିନ ପାଇଁ ସ୍କୁଲକୁ ଯିବେ ନାହିଁ ବୋଲି ଅବଗତ କରିଥିଲେ। ଏପରି ସ୍ଥଳେ ସ୍କୁଲର ପ୍ରଧାନ ଶିକ୍ଷକ ପୁନର୍ବାର ୧୦.୧୨.୨୦୨୫ ତାରିଖ ଠାରୁ ଉକ୍ତ ବିବାଦୀୟ ପାଚିକା ଜ୍ୟୋତ୍ସ୍ନାରାଣୀ ମଳିକଙ୍କୁ ରୋଷେଇ କରିବାକୁ କହି ପୂନଶ୍ଚ ବିବାଦ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ବିବାଦୀୟ ପାଚିକାଙ୍କ ନିଯୁକ୍ତି ବାତିଲ ଓ ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପିଲାମାନେ ସବୁଦିନ ପାଇଁ ସ୍କୁଲକୁ ପାଠ ପଢ଼ିବାକୁ ଯିବେ ନାହିଁ ବୋଲି ଚେତିବନି ଦିଆ ଯାଇଥିଲା। ସମାଧାନ ନହେବାରୁ ପୂର୍ବ ସୂଚନା ମୁତାବକ ଆଜି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ପିଲାମାନଙ୍କୁ ନେଇ ଧାରଣାରେ ବସିଥିବା ଜଣା ଯାଇଛି। ତେବେ ବ୍ଲକ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ଅପରାହ୍ନ ପର୍ଯ୍ୟନ୍ତ କୌଣସି ସମାଧାନ ହୋଇନଥିବା ଜଣା ଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।

