ଅନୁଗୋଳ ସାଇବର ପୋଲିସର ଅପରେସନ ଦମନ୍ । ଥାନାରେ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ଅପରାଧିଙ୍କୁ ଧରିବାରେ ସଫଳ ହୋଇଛି ଅନୁଗୋଳ ଜିଲ୍ଲା ପୋଲିସ । ସାଇବର ଠକେଇରେ ଶିକାର ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ପୋଲିସ ୪ ଅପରାଧିଙ୍କୁ ଗିରଫ କରିବା ସହ ଲୁଟ ହୋଇଥିବା ଟଙ୍କା ଜବତ କରିବାରେ ସଫଳ ହୋଇଛି ।
ଏକ ଅନଲାଇନ୍ ଠକେଇ ଘଟଣାରେ ସମ୍ପୃକ୍ତ ଥିବା ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅନୁଗୋଳ ଜିଲ୍ଲା ସାଇବର୍ ସେଲ୍ । ଅଭିଯୁକ୍ତମାନେ ନୟାଗଡ଼ ଜିଲା ସରଣକୁଳ ଥାନା ଅଞ୍ଚଳର ଜ୍ୟୋତି ନାଏକ, ପ୍ରତାପ ନାଏକ, ରାମଚନ୍ଦ୍ର ମୁଦୁଲି ଓ ଦିବ୍ୟରଞ୍ଜନ ଜେନା ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ୧୦ଟି ଏଟିଏମ କାର୍ଡ ସହ ପ୍ୟାନ କାର୍ଡ, ଆଧାର କାର୍ଡ ଓ ନଗଦ ୬୯ ହଜାର ଟଙ୍କା ଓ ସାତୋଟି ମୋବାଲ ଫୋନ ଜବତ କରିଛି । ସାଇବର ଠକେଇ ମାଧ୍ୟମରେ ୧୨,୫୬,୦୦୦ ଟଙ୍କା ଠକି ନେଇଥିଲେ ଏହି ଲୁଟେରା ।
ପୋଲିସ ଟିମର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୨୪ ଘଣ୍ଟା ମଧ୍ୟରେ ମାମଲା ସମାଧାନ ହୋଇଥିବା ଅନୁଗୋଳ SP ରାହୁଲ ଜୈନ ସୂଚନା ଦେଇଛନ୍ତି । ଏନେଇ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଏହି ଠକଙ୍କ ସହ ଆଉ କାହାର ସମ୍ପୃକ୍ତି ଅଛି ତାକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

