ଭଦ୍ରକରେ ରାଜନୈତିକ ପାଣିପାଗ ଦ୍ରୁତଗତିରେ ବଦଳିବାରେ ଲାଗିଛି। ଅନେକ ନେତା ଦୀର୍ଘ ଦିନ ଧରି ଗୋଟିଏ ଦଳରେ ରହି କାମ କରିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଲୋକ ଦଳ ପରିବର୍ତ୍ତନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ନେତା ଏବଂ କର୍ମୀମାନେ ନିଜର ରାଜନୈତିକ କ୍ୟାରିୟରକୁ ସୁଦୃଢ଼ କରିବା ପାଇଁ ପୁରୁୁଣା ଦଳ ଛାଡ଼ି ନୂଆ ଚିନ୍ତା କରୁଛନ୍ତି। ଅନେକ ନେତା ନୂଆବର୍ଷରେ ନୂଆ ଶିବିର ସହିତ ସାମିଲ ହେବାକୁ ଚାହୁଁଥିବା ମଧ୍ୟ ଚିନ୍ତା କରୁଛନ୍ତି। ତିନି ଦିନ ପୂର୍ବରୁ ଜିଲ୍ଲାର ୪ ଜଣ ବ୍ଲକ ଅଧ୍ୟକ୍ଷ, ପ୍ରାୟ ୫୦ ଜଣ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସମେତ ୧ ହଜାରରୁ ଊର୍ଦ୍ଧ୍ବ କର୍ମୀ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏବେ ପୁଣି ଜିଲ୍ଲାକଂଗ୍ରେସର ଜଣେ ଆଗଧାଡ଼ିର ନେତା ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି। ଶୁଭେନ୍ଦୁ ରାୟମହାପାତ୍ର କଂଗ୍ରେସ ଛାଡ଼ି ବିଜେପିକୁ ଯିବେ। ଏହି ଚର୍ଚ୍ଚା ଭଦ୍ରକରେ ଜୋର ଧରିଛି। ଜଣେ ଆଗ ଧାଡ଼ିର ଛାତ୍ର ଓ ଯୁବ ନେତା ଶୁଭେନ୍ଦୁ ରାୟମହାପାତ୍ର ଏବେ ରାଜ୍ୟ କଂଗ୍ରେସ କମିଟିର ମୁଖପାତ୍ର ଅଛନ୍ତି। ଗତ କିଛିଦିନ ହେଲା ତାଙ୍କ ନାମକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଆରମ୍ଭ ହେଉଛି। ଶୁଭେନ୍ଦୁ ବିଜେପିକୁ ଯିବା ନେଇ ବିଜେପିର କିଛି ଯୁବନେତା ତାଙ୍କ ସହ ଆଲୋଚନା କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅବଶ୍ୟ ଏହି ଚର୍ଚ୍ଚା ସମ୍ପର୍କରେ ଶ୍ରୀ ରାୟମହାପାତ୍ର ନିଜ ପ୍ରତିକ୍ରିୟାରେ କେଉଁ ଦଳକୁ ଯିବେ କିଛି କହି ନାହାନ୍ତି। ସମୟ ଆସିଲେ କହିବି ବୋଲି ସମ୍ବାଦକୁ ସୂଚନା ଦେଇଛନ୍ତି।

