ତିହିଡି, ୧୦.୧୨: ଗ୍ରାମ୍ୟ ରାସ୍ତା ଜବର ଦଖଲ ପ୍ରସଙ୍ଗ, ତହସିଲ ପକ୍ଷରୁ ଡିମାର୍କେସନ ପରେ ବି ହେଉନି ଉଚ୍ଛେଦ । ସରକାରୀ ନିୟମ ମୁତାବକ ଗତ ଜୁନ ମାସରେ ଡିମାର୍କେସନ ହୋଇଥିଲା ମାତ୍ର ତହସିଲ ପକ୍ଷରୁ ତତ୍ପରତା ପ୍ରକାଶ ପାଉନଥିବାରୁ ଜବର ଦଖଲକାରୀ ଚୂପ ରହିଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ କୋହ୍ଲ ଗ୍ରାମ ୭ ନମ୍ବର ୱାର୍ଡରୁ ଆସିଛି ଏଭଳି ଅଭିଯୋଗ । ଏହି ଗ୍ରାମର ହୃଦାନନ୍ଦ ମହାରଣା, ହରିହର ମହାରଣା, ଭରତ ମହାରଣା ଓ ରମାକାନ୍ତ ସୂତାର ପ୍ରମୁଖ ଗ୍ରାମ୍ୟ ରାସ୍ତାକୁ (ଖାତା ନମ୍ବର ୭୦୨, ପ୍ଲଟ ନମ୍ବର ୨୨୫୪)ଜବର ଦଖଲ କରିଥିବା ଅଭିଯୋଗ ହୋଇଥିଲା । ଉକ୍ତ ରାସ୍ତାରେ ବହୁ ଲୋକ ନିର୍ଭର କରିଥାନ୍ତି । ଯାତାୟତରେ ପ୍ରମୁଖ ବାଧା ସୃଷ୍ଟି ହେଉଥିବା ଅଭିଯୋଗରେ ଦର୍ଶା ଯାଇଛି। ଅଭିଯୋଗକୁ ଭିତ୍ତିକରି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏକ ମାମଲା ୧୦୫/୨୫ ରୁଜୁ କରାଯାଇ ପ୍ରଥମେ ଭରତ ମହାରଣା ଜବର ଦଖଲ କରିଥିବା ଜାଗାକୁ ଗତ ଜୁନ୍ ମାସରେ ଡିମାର୍କେସନ କରାଯାଇଥିଲା । ଉକ୍ତ ସମୟରେ ଜବର ଦଖଲକାରୀ ସରକାରୀ ଜାଗା(ଖାତା ନମ୍ବର ୭୦୨, ପ୍ଲଟ ନମ୍ବର ୨୨୫୪)କୁ ଘେରବନ୍ଦୀ କରିଥିବା ଜଣା ପଡିଥିଲା । ତେବେ ଏଥିରୁ ନିବୃତ ହେବାଲାଗି ତହସିଲ ପ୍ରଶାସନ ପକ୍ଷରୁ ତାଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେ ହଟିନଥିବା ଜଣା ଯାଇଛି । ପରେ ଅଭିଯୋଗକାରୀ ଶଙ୍କର୍ଷନ ସାହୁ ଓ ଅନ୍ୟମାନେ ତସହିଲଦାରଙ୍କୁ ବାରମ୍ବାର ଭେଟି ଗୁହାରୀ କରିଥିଲେ ମଧ୍ୟ ଫଳ ଶୂନ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଜବର ଦଖଲ ଉଚ୍ଛେଦ କରାନଗଲେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବେ ବୋଲି ସେମାନେ ଚେତାବନି ଦେଇଛନ୍ତି। ଏ ସମ୍ପର୍କରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କୁ ପଚାରିବାରୁ ଖୁବ୍ ଶିଘ୍ର ଉଚ୍ଛେଦ କରାଯିବ ବୋଲି ସୂଚନା ଦେଇଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

