ବିଭିନ୍ନ ଦାବି ନେଇ ଡିସେମ୍ବର ୧୦ ରେ ରାଜଧାନୀରରେ ବିଶାଳ ଶିକ୍ଷକ ସମାବେଶ : ସମନ୍ୱୟ ସମିତି
ଭୁବନେଶ୍ୱର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଡିସେମ୍ବର ୧୦ ତାରିଖରେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ରାଜଧାନୀର ରାଜରାସ୍ତାରେ ବିଶାଳ ଶିକ୍ଷକ ସମାବେଶ ସଂଗଠିତ କରିବାକୁ ଯାଉଛନ୍ତି ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ପ୍ରେସ୍ମିଟ୍ ଜରିଆରେ ଗଣମାଧ୍ୟମକୁ ଜଣାଇଛନ୍ତି । ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା ଏବଂ ଅବସର ନେଉଥିବା ଓ ନେଇଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍, ଅବସରକାଳୀନ ସୁବିଧା, ଚାକିରି ସର୍ତ୍ତାବଳୀ ପ୍ରଦାନ, ଅବସର ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଆଦି ଦାବି ପୂରଣ ନିମନ୍ତେ ସରକାର ପ୍ରତିଶ୍ରୁତି ଦେଇ ସମସ୍ୟାର ସମାଧାନ ନକରିବା ପ୍ରତିବାଦରେ ଏ ମହାସମାବେଶ ଅନୁଷ୍ଠିତ ହେଉଛି ବୋଲି ସମନ୍ୱୟ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନାଥାଉକି, ଗତ ଆନ୍ଦୋଳନ ସମୟରେ ଶିକ୍ଷକ ନେତୃତ୍ୱ ଓ ସରକାରଙ୍କ ସହିତ ହୋଇଥିବା ଆଲୋଚନାରେ ସମସ୍ୟା ସମାଧାନ ନିମନ୍ତେ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଇତିମଧ୍ୟରେ ଅନେକ ଥର ସରକାରଙ୍କ ସହ ସାକ୍ଷାତ ଆଲୋଚନା ହୋଇଛି ଓ ବାରମ୍ବାର ପ୍ରତିଶ୍ରୁତି ମିଳିଛି । ଅଦ୍ୟାବଧି ସରକାର ସମସ୍ୟା ସମାଧାନ କରିବା ପାଇଁ ତିନୋଟି କମିଟି ଯଥା- ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି, ପଲିଟିକାଲ କମିଟି, ସଚିବସ୍ତରୀୟ କମିଟି ଗଠନ କରିସାରିଛନ୍ତି । ମାତ୍ର ସମସ୍ୟା ସମାଧାନକୁ ବିଳମ୍ବ କରିବା ଲକ୍ଷ୍ୟରେ ସରକାର ଆଉ ଏକ କମିଟି ଗଠନ କରି ଛଅ ମାସ ଭିତରେ ଏ ସମସ୍ୟା ସମାଧାନ କରିବେ ବେଲି ପବିତ୍ର ବିଧାନସଭା ଗୃହରେ ଘୋଷଣା କରିଛନ୍ତି । ତୁରନ୍ତ ଏହି ଉଚ୍ଚସ୍ତରୀୟ କମିଟି ବସି ଛଅମାସ ପରିବର୍ତ୍ତେ ଯଥାଶିଘ୍ର ସମସ୍ତ ବର୍ଗର ଶିକ୍ଷକମାନଙ୍କର ସମସ୍ୟା ସମାଧାନ କରନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ସମସ୍ୟାକୁ ସମାଧାନ କରୁଛନ୍ତି । ଶିକ୍ଷକ ମାନଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ଅଧିକ ସମୟ କିମ୍ବା ସମ୍ବଳର ଆବଶ୍ୟକତା ନାହିଁ । ସମସ୍ୟାର ସମାଧାନ କରିବା ପାଇଁ ସରକାରଙ୍କ ନିକଟରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଯଥାସମ୍ଭବ ତାହା ପୂରଣ ହୋଇପାରିବ । କାରଣ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନ ପୂର୍ବରୁ ଯେତେବେଳେ ବିରୋଧୀ ଦଳର ମୁଖ୍ୟସଚେତକ ଥିଲେ ସେତେବେଳେ ଯେଉଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ଦୀର୍ଘ ୧ ବର୍ଷ ଛଅ ବିତିଯାଇଥିଲେ ମଧ୍ୟ ତାହା ଅଦ୍ୟାବଧି ପୂରଣ ହୋଇପାରି ନାହିଁ । ସେଥିପାଇଁ ଶିକ୍ଷକମାନଙ୍କ ମନରେ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି । ସରକାର ସମସ୍ୟାର ସମାଧାନ ନିମନ୍ତେ ଭିନ୍ନ ଭିନ୍ନ ସମୟରେ କମିଟିମାନ ଗଠନ କରିଥିଲେ ମଧ୍ୟ ଏଯାବତ୍ ସମସ୍ୟା ସମାଧାନ ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଇ ନାହାଁନ୍ତି । ୧୯୯୪ ମସିହାରେ ୩୦୧୨ ବିଦ୍ୟାଳୟ ସରକାରୀକରଣ ହୋଇଥିଲା ।
ବର୍ତ୍ତମାନର ନୂତନ ସରକାର ୩୦ ବର୍ଷ ପରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କଲେ ଉଲ୍ଲେଖିତ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ । ୨୦୦୪ ରୁ ୨୦୨୫ ମସିହା ମଧ୍ୟରେ ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଶୂନ୍ୟ ହସ୍ତରେ ଅବସର ନେଇଛନ୍ତି ଓ ଅନେକ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ତେଣୁ ସରକାର ଆଉ ଟାଳଟୁଳ ନୀତି ଅବଲମ୍ବନ ନକରି ଅବସର ନେଇଥିବା ଓ ନେବାକୁ ଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ପେନସନ୍ ପ୍ରଦାନ, ୨୫ରୁ ୩୦ ବର୍ଷ ବିନା ପାରିଶ୍ରମିକରେ ବୁଭୁକ୍ଷୁ ଅବସ୍ଥାରେ କାର୍ଯ୍ୟ କରୁଥିବା ଅନୁଦାନ ଯୋଗ୍ୟ ସ୍କୁଲ କଲେଜର ଶିକ୍ଷକ କର୍ମଚାରୀମାନଙ୍କୁ ଅନୁଦାନ ପ୍ରଦାନର ବ୍ୟବସ୍ଥା କରନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଦାବି ପୂରଣ ହେଲେ ଓଡ଼ିଶାର ଶିକ୍ଷା, ଶିକ୍ଷକ, ଶିକ୍ଷାର୍ଥୀଙ୍କ ଅବସ୍ଥା ସୁଧୁରିବା ସହିତ ବିଦ୍ୟାଳୟଗୁଡ଼ିକରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ହେବ । ସରକାର ଶିକ୍ଷକ ମାନଙ୍କ ପ୍ରତି ସମ୍ବେଦନଶୀଳ ମନୋଭାବ ପୋଷଣ କରି ଦେଇଥିବା ପ୍ରତିଶ୍ରୁତିକୁ ପାଳନ ପୂର୍ବକ ଅନୁଦାନ ଓ ପେନସନ୍, ଗ୍ରେଡ଼ ପେରେ ଥିବା ଅସଙ୍ଗତି, ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ୬ଟି ନୋସନାଲ୍ ଇନ୍କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ, ସ୍ଥାୟୀ ନିଯୁକ୍ତିର ବ୍ୟବସ୍ଥା ଆଦି ସମସ୍ୟାଗୁଡ଼ିକର ସମାଧାନ କରନ୍ତୁ ବୋଲି ସମନ୍ୱୟ ସମିତି ପକ୍ଷରୁ ଦାବି କରାଯାଇଛି ।
ଆସନ୍ତା ଡିସେମ୍ବର ୧୦ ତାରିଖରେ ହଜାର ହଜାର ଶିକ୍ଷକ ଓ ଶିକ୍ଷା କର୍ମଚାରୀ କଂଗ୍ରେସଭବନ ସମ୍ମୁଖରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର ପି.ଏମ୍.ଜି. ଅଭିମୁଖେ ଅଗ୍ରସର ହେବେ । ବିଧାନସଭା ସମ୍ମୁଖସ୍ଥ ଗାନ୍ଧିମାର୍ଗରେ ସଭା ଅନୁଷ୍ଠିତ ହେବା ସହିତ ଅହୋରାତ୍ର ଧାରଣା ଜାରି ରହିବ । ଉକ୍ତ ସଭାରେ ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତି ଓ ବିଧାୟକମାନେ ଉପସ୍ଥିତ ରହି ଉଦ୍ବୋଧନ ଦେବେ । ରାଜ୍ୟ ସରକାର ତୁରନ୍ତ ସମନ୍ୱୟ ସମିତିର ନେତୃତ୍ୱମାନଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନର ରାସ୍ତା ବାହାର କରିବା ପାଇଁ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶଙ୍କ ସମେତ ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଅଜୟ କୁମାର ପତି, ଗରୁଡ଼ ଚନ୍ଦ୍ର ସାହୁ, ରଞ୍ଜନ କୁମାର ପଣ୍ଡା, ଏମ୍.ଏ.କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାସ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥି , ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ଚେତାବନୀ ଦେଇଛନ୍ତି ।