ରାଜ୍ୟ

ଉଦଘାଟିତ ହେଲା ରାଜ୍ୟର ପ୍ରଥମ ଅତ୍ୟାଧୁନିକ କିମ୍ସ-ଶୁଭ୍ରା ରୁରାଲ୍ ହସ୍ପିଟାଲ୍

Spread the love

ବାରିପଦା : ଉଦଘାଟିତ ହେଲା ରାଜ୍ୟର ପ୍ରଥମ ଅତ୍ୟାଧୁନିକ କିମ୍ସ-ଶୁଭ୍ରା ରୁରାଲ୍ ହସ୍ପିଟାଲ୍ |  ପ୍ରଥମ କରି ରାଜ୍ୟର ଏକ ନିପଟ ମଫସଲ ଅଞ୍ଚଳରେ 25 ଶଯ୍ୟା ବିଶିଷ୍ଠ ଅତ୍ୟାଧୁନିକ ଚିକିତ୍ସାଳୟ ଉଦ୍ଘାଟିତ ହୋଇଛି |  ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଳକ ଅନ୍ତର୍ଗତ କୁଂଚିଶୋଳ ଗ୍ରାମରେ ଉଦଘାଟିତ ହୋଇଛି ଭୁବନେଶ୍ଵରର କିମ୍ସ ଓ ଗୁଜରାଟର ଶୁଭ୍ରା ଫାଉଣ୍ଡେସନ୍ ପକ୍ଷରୁ କିମ୍ସ-ଶୁଭ୍ରା ରୁରାଲ୍ ହସ୍ପିଟାଲ୍ |  ପୂର୍ବତନ ସିଏଜି ଡ. ଗିରୀଶ ଚନ୍ଦ୍ର ମୁର୍ମୁ ଓ କିସ୍, କିଟ୍ ଓ କିମ୍ସ ପ୍ରତିଷ୍ଠାତା  ଡ ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ ଡ଼ ଗିରିଶ ମୁର୍ମୁଙ୍କ ମାଆ ପାର୍ବତୀ ମୁର୍ମୁ ଏହି ଚିକିତ୍ସାଳୟକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି |  ଏଥି ସହିତ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଅନୁଷ୍ଠିତ ହୋଇଛି  |

ଶିବିରରେ କିମସ୍ ମେଡିକାଲର ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ଵାରା ଚିକିତ୍ସା ସେବା ଯୋଗାଇ ଦିଆଯାଇଛି  |  ଏହି ରୁରାଲ ହସ୍ପିଟାଲ୍ ପାଇଁ ଶୁଭ୍ରା ପ୍ରିୟମ୍ୱଦା ଫାଉଣ୍ଡେସନ୍ ପକ୍ଷରୁ ସମସ୍ତ ଭିତ୍ତିଭୂମି ଯୋଗାଇ ଦିଆଯାଇଥିବା ବେଳେ କିମ୍ସ ହସ୍ପିଟାଲ୍ ର କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ , ଅପରେସନ୍ ଓ ସମସ୍ତ ପ୍ରଶାସନିକ ଦାୟିତ୍ଵ ବହନ କରୁଛି |  ସମସ୍ତ ଅତ୍ୟାଧୁନିକ ମେସିନ ସହ ପରୀକ୍ଷା ବ୍ୟବସ୍ଥା କିମ୍ସ ପକ୍ଷରୁ ଏହି ଚିକିତ୍ସାଳୟରେ ଯୋଗାଇ ଦିଆଯାଉଛି |  ଆମ୍ୱୁଲାନ୍ସ ସେବା ମଧ୍ୟ ଏହି ଚିକିତ୍ସାଳୟରେ ଉପଲବ୍ଧ |  କିମ୍ସ ଓ ଶୁଭ୍ରା ହସ୍ପିଟାଲ୍ ଦ୍ଵାରା ବେତନଟୀ ତଥା ସ୍ଥାନୀୟ ଅଂଚଳର ଜନଜାତି ଓ ବହୁ ଜନସାଧାରଣ ଉପକୃତ ହୋଇପାରିବେ ବୋଲି କହିଛନ୍ତି ପୂର୍ବତନ ସିଏଜି ଡ଼ ଗିରିଶ ଚନ୍ଦ୍ର ମୁର୍ମୁ  |

ଏଭଳି ଏକ ଚିକିତ୍ସାଳୟ ପାଇଁ ବହୁ ସମସ୍ୟା  ଦେଇ ଗତି କରିଥିବା ବେଳେ ଡ଼ ସାମନ୍ତଙ୍କ ପାଇଁ ଆଜି ତାଙ୍କ ସ୍ଵପ୍ନ ସାକାର ହୋଇ ପାରିଛି ବୋଲି କହିଛନ୍ତି ଡ଼ ଗିରିଶ ମୁର୍ମୁ  | ନିଜ ଜୀବନ, ସମାଜ ସେବାରେ ଉତ୍ସର୍ଗ କରିଥିବା ଡ଼ ସାମନ୍ତ ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଆଗକୁ ଆହୁରି ଅନେକ ସେବା ଯୋଗାଇ ଦେବେ ବୋଲି କହିଛନ୍ତି ଡ଼ ଗିରିଶ ମୁର୍ମୁ | ବେତନଟୀର କୁଂଚିଶୋଳ ଗ୍ରାମ ହେଉଛି ଓଡ଼ିଶା ତଥା ଭାରତର ଗର୍ବ ଓ ଗୌରବ ଜମ୍ମୁ କାଶ୍ମୀରର ପ୍ରଥମ ଏଲ ଜି ତଥା ଭାରତର ପୂର୍ବତନ ସିଏଜି ଡ. ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଜନ୍ମିତ ଗ୍ରାମ  |   ଆଜିର ସ୍ଵାସ୍ଥ୍ୟ ଶିବିରରେ ପ୍ରଥମ ରୋଗୀ ଭାବେ ଡ଼ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ମାଆ ପାର୍ବତୀ ମୁର୍ମୁଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଇଥିଲା  | ପରେ ପରେ ଶିବିରରେ ଗ୍ରାମର ବିଭିନ୍ନ ଲୋକଙ୍କ ଚିକିତ୍ସା କରାଯାଇଛି | କିମ୍ସ ଡେପୁଟୀ ସୁପରିଟେଣ୍ଡେଣ୍ଟ ଡ଼ ହରିଶ ଚୌଧୁରୀ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ଉପ ଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା, କିମସ୍ ସୁପରିଟେଣ୍ଡେଣ୍ଟ ଡ଼ା ମାନସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *