ବିକ୍ରୟ ଚୁକ୍ତିନାମାରେ ମିଳିବନି ସମ୍ପତ୍ତିର ମାଲିକାନା: ଘର ମାଲିକଙ୍କ ସପକ୍ଷରେ ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରାୟ
ଶିମଲା: ଜଣେ ଘରମାଲିକ ହିମାଚଳ ପ୍ରଦେଶ ହାଇକୋର୍ଟରେ ଏକ ମାମଲା ଜିତିଛନ୍ତି। ଭଡ଼ାଟିଆ ଦାବି କରିଥିଲେ ଯେ, ଘରମାଲିକ ତାଙ୍କ ପରିବାରକୁ ସମ୍ପତ୍ତି ବିକ୍ରୟ କରିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି, ଯାହା ସୂଚାଇ ଦେଉଛି, ସେମାନଙ୍କର ସମ୍ପର୍କ ଘରମାଲିକ ଏବଂ ଭଡାଟିଆଙ୍କ ସମ୍ପର୍କ ନୁହେଁ।
ହିମାଚଳ ପ୍ରଦେଶ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବିକ୍ରୟ ଚୁକ୍ତିନାମା ମାଲିକାନା ହସ୍ତାନ୍ତର ସହିତ ସମାନ ନୁହେଁ। ଅର୍ଥାତ୍ ଏହା ସମ୍ପତ୍ତିର ବିକ୍ରୟ କିମ୍ବା ହସ୍ତାନ୍ତର ସହିତ ସମାନ ଗୁରୁତ୍ୱ ରଖେ ନାହିଁ। ଯଦିଓ ବିକ୍ରୟ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା, ପଞ୍ଜିକୃତ ବିକ୍ରୟ ଡିଡ୍ କେବେ କାର୍ଯ୍ୟକାରୀ ହୋଇ ନଥିଲା। କାରଣ ଭଡ଼ାଟିଆଙ୍କ ପରିବାର ସରକାରୀ ଅନୁମତି ପାଇପାରି ନଥିଲେ, ଯାହା ଫଳରେ ଏହି ମାମଲାରେ ବିଳମ୍ବ ହୋଇଥିଲା।ହାଇକୋର୍ଟରେ ଏହି ମାମଲା ଘରମାଲିକଙ୍କ ଦ୍ୱାରା ଭଡ଼ା ନିୟନ୍ତ୍ରକଙ୍କ ନିକଟରେ ଦାଏର କରାଯାଇଥିବା ଏକ ଆବେଦନରୁ ଆରମ୍ଭ ହୋଇଥିଲା। ଯେଉଁଥିରେ ବକେୟା ଭଡା ଆଦାୟ ଏବଂ ଭଡ଼ାଟିଆଙ୍କଠାରୁ ତାଙ୍କ ସମ୍ପତ୍ତିର କବଜା ଫେରିପାଇବା ପାଇଁ ଦାବି କରାଯାଇଥିଲା। ଭଡ଼ାଟିଆ କୋର୍ଟ ବିଚାରରେ ଯୋଗ ଦେଇ ନଥିଲେ ଏବଂ ଶେଷରେ ମୃତ୍ୟୁବରଣ କରିଥିଲେ। ପରେ, ଭଡ଼ାଟିଆଙ୍କ ଆଇନଗତ ଉତ୍ତରାଧିକାରୀମାନେ କୋର୍ଟ ବିଚାରରେ ଯୋଗ ଦେଇଥିଲେ।
ହାଇକୋର୍ଟରେ ପ୍ରମାଣ ଆଧାରରେ ରାୟ ଦେଇଥିଲେ ବାଦୀ ଏବଂ ପ୍ରତିବାଦୀଙ୍କର ସମ୍ପର୍କ ପ୍ରକୃତରେ ଜଣେ ଭଡ଼ାଟିଆ ଏବଂ ଘରମାଲିକଙ୍କ ସମ୍ପର୍କ ଥିଲା, ଅନ୍ୟ କିଛି ନୁହେଁ। ଫଳସ୍ୱରୂପ, ଉଚ୍ଚ ନ୍ୟାୟାଳୟ ଭଡ଼ା ନିୟନ୍ତ୍ରକଙ୍କ ଆଦେଶକୁ ଖାରଜ କରି ମାମଲାର ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ ଘରମାଲିକ ଏବଂ ଭଡାଟିଆ ଉଭୟଙ୍କୁ ଘର ଖାଲି କରିବା ମାମଲା ସମ୍ପର୍କରେ ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଶିମଲାର ଭଡ଼ା ନିୟନ୍ତ୍ରକ, ଶିମଲାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ।