ରାଜ୍ୟ

ବନ୍ଦ ନେଇ ଯୋଗାଣ ବିଭାଗ ଜାରି କରିନି ନିର୍ଦ୍ଦେଶନାମା: ଜାରି ରହିବ ଚାଉଳ ଯୋଗାଣ

Spread the love

ଭୁବନେଶ୍ବର: ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଅର୍ଥାତ୍ ରାସନକାର୍ଡ ହିତାଧିକାରୀମାନେ ପୂର୍ବଭଳି ନିଜ କୋଟାର ଚ‌ାଉଳ ଉଠାଇପାରିବେ ଓ ଇ-କେୱାଇସି କରି ନ ଥିବା ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଆପାତତଃ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଚଳିତମାସ ୧୫ ତାରିଖରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ଶେଷସୁଦ୍ଧା ଇ-କେୱାଇସି କରି ନଥିବା ହିତାଧିକାରୀଙ୍କୁ ନଭେମ୍ବରରୁ ଚାଉଳ ମିଳିବ ନାହିଁ ବୋଲି କହିଥିଲେ। ଏଣୁ ସ୍ବାଭାବିକ ଭାବେ ସମସ୍ତଙ୍କ ନଜର ରହିଥିଲା, ସରକାର ଅକ୍ଟୋବର ୩୧ ତାରିଖ ଦିନ କ’ଣ ପଦକ୍ଷେପ ନେଉଛନ୍ତି। 

ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଥିବା ୩ କୋଟି ୨୪ ଲକ୍ଷ ୩୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ନଭେମ୍ବର ୩୦ ସୁଦ୍ଧା ୧୫ ଲକ୍ଷ ୪୧ ହଜାର ୪୨୩ ଜଣ ନିଜର ଇ-କେୱାଇସି କରିନାହାନ୍ତି। ଗଞ୍ଜାମରେ ସର୍ବାଧିକ ୧ ଲକ୍ଷ ୫୬ ହଜାର, କଟକ ୮୭ ହଜାର, ମୟୂରଭଞ୍ଜକଳାହାଣ୍ଡି ୭୬ହଜାର, ବଲାଙ୍ଗୀର-ବାଲେଶ୍ବର ୭୪ ହଜାର, ପୁରୀ ୬୯ ହଜାର, ବରଗଡ଼ ୬୫ ହଜାର, କେନ୍ଦୁଝର-ଖୋର୍ଦ୍ଧାରେ ୬୪ ହଜାର ହିତାଧିକାରୀଙ୍କ ଇ-କେୱାଇସି ବାକି ରହିଛି। ଦେବଗଡ଼ ଜିଲ୍ଲାରେ ସର୍ବନିମ୍ନ ୮ହଜାର ହିତାଧିକାରୀ ଏହି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି। ରାଜ୍ୟ ବାହାରେ ଥିବା ୧ଲକ୍ଷ ୪୫ ହଜାର ହିତାଧିକାରୀଙ୍କ ଇ-କେୱାଇସି କରାଯାଇଛି। ମାତ୍ର ରାଜ୍ୟ ବାହାରେ କାମ କରୁଥିବା ଅନେକ ଲୋକ ବିଭିନ୍ନ କାରଣ ପାଇଁ ଏହି ପ୍ରକ୍ରିୟାରେ ସାମିଲ ହୋଇପାରୁନାହାନ୍ତି। ଏହାସହ ହିତାଧିକାରୀଙ୍କ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଶିଶୁ ରହିଛନ୍ତି। ସେମାନଙ୍କ ସଂଖ୍ୟାକୁ ହଟାଇଲେ ଇ-କେୱାଇସି କରି ନ ଥିବା ବ୍ୟକ୍ତିଙ୍କ ସଂଖ୍ୟା ଆହୁରି ହ୍ରାସ ପାଇବ। 

Leave a Reply

Your email address will not be published. Required fields are marked *