ରାଜ୍ୟ

ବାଲେଶ୍ୱରରେ ଅନୁଷ୍ଠିତ ହେଲା ସଦର ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟିର ଦ୍ଵିତୀୟ ବୈଠକ, ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀରେ ଆନ୍ତଃର୍ବିଭାଗ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱାରୋପ କଲେ ବିଧାୟକ ମାନସ କୁମାର ଦତ୍ତ;

Spread the love

ବିଧାନସଭା ନିର୍ବାଚନମଣ୍ଡଳୀରେ ସରକାରୀ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରିତାର ବାସ୍ତବିକ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ପାଇଁ ବାଲେଶ୍ଵର ସଦର ନିର୍ବାଚନମଣ୍ଡଳୀର ଉନ୍ନୟନ କମିଟିର ଦ୍ଵିତୀୟ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ଅଡିଟୋରିୟମ ହଲରେ ଅନୁଷ୍ଠିତ ହୋଇଯାଇଛି । ସଦର ବିଧାୟକ ମାନସ କୁମାର ଦତ୍ତ ଏଥିରେ ଅଧ୍ୟକ୍ଷତା କରିବା ସହିତ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକର ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ସମୟାନୁବଦ୍ଧତା ସହ ପ୍ରକଳ୍ପଗୁଡିକର ସଫଳ କାର୍ଯ୍ୟକାରିତା ଦେଖା ଦେଉଥିବା ସମସ୍ୟା ଓ ତାହାର ନିରାକରଣ ଦିଗରେ ବିଭାଗୀୟ ଅଧିକାରୀଙ୍କୁ ଉପାଦେୟ ପରାମର୍ଶ ଓ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ । ବିଶେଷ ଭାବେ ପ୍ରତ୍ୟେକ ପ୍ରକଳ୍ପର ରୂପାୟନ ପୂର୍ବରୁ ଆନ୍ତଃର୍ବିଭାଗ ସମନ୍ୱୟ ରକ୍ଷା ଉପରେ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଥିଲେ । ବିଶେଷ ଭାବେ ଭୂମିହୀନଙ୍କୁ ଚିହ୍ନଟ ଓ ପଟ୍ଟା ପ୍ରଦାନ ଉପରେ ବିଧାୟକ ଗୁରୁତ୍ୱ ଦେଇଥିଲେ।


ସଦର ବିଡିଓ ଉତ୍ତମ କୁମାର ଜେନାଙ୍କ ସଂଯୋଜନାରେ ପୂର୍ବ ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ବାହାବଳପୁର ଜେଟିର ଉନ୍ନତିକରଣ, ବୁଢ଼ାବଳଙ୍ଗ ସଂସ୍କାର ଯୋଜନା, ଛାନୁଆ, ଶ୍ରୀରାମପୁର, ପୁରାଣରେ ପାଣି ଟାଙ୍କି ନିର୍ମାଣ, ଗୋବିନ୍ଦାରେ ଟାଙ୍କି ନିର୍ମାଣ ନେଇ ଉଦାସୀନ ଠିକାଦାରଙ୍କ ଚୁକ୍ତି ବାତିଲ, ଅମୃତ -୨ ଯୋଜନାରେ ସହରାଂଚଳରେ ସମସ୍ତ ଘରକୁ ପାନୀୟଜଳ ଯୋଗାଣ, ଇଡକୋର ଲିଡ ବ୍ୟାଙ୍କ ଓ ଇଡକୋ ଟାୱାର ନିର୍ମାଣ, ଫୁଲାଡ଼ିରୁ ପରଖିକୁ ରାସ୍ତା, ଚାନ୍ଦିପୁର ପାନ୍ଥନିବାସ ସମ୍ମୁଖ ଟେଣ୍ଡର ପ୍ରଭୃତି ବିଭିନ୍ନ ପ୍ରକଳ୍ପ ଉପରେ ବିଭିନ୍ନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଧାୟକଙ୍କୁ ଅବଗତ କରାଯାଇଥିଲା। ଏହା ସହିତ ସଦର ନିର୍ବାଚନ ମଣ୍ଡଳୀର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ପୂର୍ତ୍ତ, ଗ୍ରାମ୍ୟ ନିର୍ମାଣ ବିଭାଜନ, ଜଳସେଚନ, କ୍ଷୁଦ୍ର ଜଳସେଚନ, ଜଳ ନିଷ୍କାସନ ବିଭାଜନ, ବିଜୁଳି ବିଭାଗ, ରାଜସ୍ୱ ବିଭାଗ, ସାମାଜିକ ସୁରକ୍ଷା, ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ, ଶ୍ରମ ବିଭାଗ ପ୍ରଭୃତି ବିଭିନ୍ନ ବିଭାଗର କାର୍ଯ୍ଯ ଉପରେ ଆଲୋଚନା କରାଯାଇଥିଲା ।


ବିଶେଷକରି ସରକାର ଭୂମିହୀନଙ୍କୁ ଜମି ପ୍ରଦାନ ନିମନ୍ତେ ଗୁରୁତ୍ୱ ଦେଉଥିବାବେଳେ ସଦର ତହସିଲରେ ମାତ୍ର ୩୨ଜଣ ଭୂମିହୀନଙ୍କୁ ଚିହ୍ନଟ ହେବାକୁ ନେଇ ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ପ୍ରତ୍ୟେକ ଆରଆଇ ସର୍କଲରେ ଭୂମିହୀନ ଚିହ୍ନଟ ନିମନ୍ତେ ବିଧାୟକ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ ।

ସରକାରଙ୍କର ସମସ୍ତ ଯୋଜନାର ସୁଫଳତା ତୃଣମୂଳସ୍ତରରେ ପହଞ୍ଚାଇବା ନିମନ୍ତେ ପ୍ରତ୍ୟେକ ବିଭାଗର ଅଧିକାରୀମାନେ ସଠିକ୍ ଭାବରେ ଦାୟିତ୍ବ ତୁଲାଇବାକୁ ସେ ବୈଠକରେ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ତେବେ ଏହି ବୈଠକରେ ଇଡକୋର ଅଧିକାରୀ ଓ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅନୁପସ୍ଥିତିକୁ ନେଇ ବିଧାୟକ ବିଶେଷ ଅସନ୍ତୋଷ ବ୍ୟକ୍ତ କରିଥିଲେ। ବୈଠକରେ ଆବାହକ ତଥା ଉପଜିଲ୍ଲାପାଳ ଶିବ ମାଲବିୟ, ସଦର ବ୍ଲକର ଅଧ୍ୟକ୍ଷା ସୁନୀତା ବେହେରା, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ନିର୍ଲିପ୍ତା ମହାନ୍ତି, ସଦର ତହସିଲଦାର ଦେବୀପ୍ରସାଦ ସାରସ୍ୱତ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *