ଖଣି ଅଞ୍ଚଳରେ କରୁଣଚିତ୍ର: ଶିଶୁପୁତ୍ର ଦାମ୍ ୫୦ ହଜାର, ଧରାପଡ଼ିବା ଭୟରେ ଘରୁ ଫେରାର
ରାଉରକେଲା/କୋଇଡ଼ା: ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ ଦେଉଥିବା ଖଣିଅଞ୍ଚଳ କୋଇଡାର ସ୍ଥିତି ଏବେ ଦୟନୀୟ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠି ଓ ସରକାରଙ୍କ ସମସ୍ତ ଯୋଜନା ଯେମିତି ବସ୍ତିବାସିନ୍ଦାଙ୍କ ପାଇଁ ସାତସପନ ପାଲଟିଛି। ଆର୍ଥିକ ଅନଟନ ପାଇଁ ଭୁଲି ଯାଉଛନ୍ତି ସ୍ନେହ ଓ ମମତା। ନିଜ ଜନ୍ମକଲା ପୁଅକୁ ମାତ୍ର କେଇ ଟଙ୍କା ପାଇଁ ଅନ୍ୟ ହାତକୁ ଟେକି ଦେବା ଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି।
ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ପାଟମୁଣ୍ଡା ହଟିଂର ପାର୍ବତୀ ଲୁଗୁନ୍ ନିଜର ଶିଶୁପୁତ୍ର ମାତ୍ର ୫୦ ହଜାର ଟଙ୍କାରେ ବିକ୍ରି କରି ଦେଇଛନ୍ତି। ଧରାପଡ଼ିବା ଭୟରେ ସେ ନିଜେ ଘର ଛାଡ଼ି କୁଆଡ଼େ ପଳେଇଛନ୍ତି। ତେବେ, ଘଟଣା ସାମନାକୁ ଆସିବା ପରେ କୋଇଡ଼ା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅନିତା ସାହୁ ଖୋଳତାଡ଼ ଆରମ୍ଭ କରିଛନ୍ତି। ସେ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଉଦ୍ବେଗଜନକ। ତଦନ୍ତ ପାଇଁ ଟିମ୍ ଗଠନ ହୋଇଛି। ଖୁବ୍ଶୀଘ୍ର ଶିଶୁପୁତ୍ରକୁ ଫେରାଇ ଆଣିବାକୁ ଚେଷ୍ଟା କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ପାର୍ବତୀ ଲୁଗୁନ ଗର୍ଭବତୀ ହେବା ପରେ ଗତ ଅଗଷ୍ଟ ୮ରେ କୋଇଡ଼ାର ମା’ ଗୃହକୁ ଆସିଥିଲେ। କିଛି ଦିନ ଚିକିତ୍ସା ହେବା ପରେ ପ୍ରସବ ପାଇଁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ପଠାଯାଇଥିଲା। ଆର୍ଜିଏଚ୍ରେ ୩୧ ଅଗଷ୍ଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପରଦିନ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଶିଶୁ ପୁତ୍ରକୁ ଘରକୁ ନ ନେଇ ବାଟରେ ବିକ୍ରି କରିଦେଇଥିଲେ। ୫୦ ହଜାର ଟଙ୍କାର ଡିଲ୍ ହୋଇଥିଲା।