ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ହଲଦୀପଦା ଠାରେ ୯କୋଟି ଟଙ୍କାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କଲେ ବିଧାୟକ ମାନସ କୁମାର ଦତ୍ତ ;
ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ହଲଦୀପଦାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ପିଡବ୍ଲୁଡ଼ି ରାସ୍ତା ଠାରୁ ପିଞ୍ଛାବଣିଆ ରାସ୍ତାର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୯କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ଅଟକଳରେ ୫.୬ କିଲୋମିଟର ଲମ୍ବର ଏହି ରାସ୍ତା ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର ଶୁଭ ଦେଇଥିଲେ । ହଲଦୀପଦାରୁ ରୂପସା ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଜନସାଧାରଣଙ୍କ ଦାବିକୁ ସମ୍ମାନ ପ୍ରଦାନ ପୂର୍ବକ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଧାୟକ ଶ୍ରୀ ଦତ୍ତ କହିଛନ୍ତି ।

ଏହି ରାସ୍ତା ନିର୍ମାଣ ଦ୍ବାରା ପ୍ରସିଦ୍ଧ ପିଞ୍ଛାବଣିଆ ବୋଲି ମେଲଣ ଉତ୍ସବକୁ ଉପଯୁକ୍ତ ମାନ୍ୟତା ପ୍ରଦାନ ସହ ହୋଲି ଉତ୍ସବରେ ଅଧିକ ଜନସମାଗମ ହେବ । ହଳଦୀପଦା ଓ ରୂପସା ସମେତ ଆଖପାଖ ୭ଖଣ୍ଡ ପଞ୍ଚାୟତର ଜନସାଧାରଣ ଏହି ରାସ୍ତା ମାଧ୍ୟମରେ ଉପକୃତ ହେବେ ବୋଲି ଶ୍ରୀ ଦତ୍ତ କହିଛନ୍ତି । ସଠିକ ମାନଦଣ୍ଡ ଓ ଗୁଣବତା ଯୁକ୍ତ ରାସ୍ତା ନିର୍ମାଣ ପାଇଁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଯୋଜନାବଦ୍ଧ ତଥା ଧାର୍ଯ୍ୟ ସମୟମୀମା ମଧ୍ୟରେ ଶେଷ ହେବ ବୋଲି ଶ୍ରୀ ଦତ୍ତ ଆଶା ପ୍ରକାଶ କରିଛନ୍ତି । ସଦର ବ୍ଳକର ପୂର୍ବତନ ଉପାଧ୍ୟକ୍ଷ ସୁରେଶ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୌଭାଗ୍ୟ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ବେହେରା, ବିଧାୟକଙ୍କ ପ୍ରତିନିଧି କାର୍ତ୍ତିକ ପ୍ରଧାନ, କୁରାଡ଼ିହା ପଞ୍ଚାୟତର ଭାରପ୍ରାପ୍ତ ସରପଞ୍ଚ ସୁମିତ୍ରା ବାରିକ, ରୁପସା ପଞ୍ଚାୟତର ନାଏବ ସରପଞ୍ଚ ରାଜ ବର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଶତାଧିକ ଜନସାଧାରଣ ଯୋଗଦେଇଥିଲେ ।