ନୂଆଦିଲ୍ଲୀ: ବଦ୍ରିନାଥ ନିକଟରେ ହେଲିକପ୍ଟର ଦୁର୍ଘଟଣା ପରେ ଚାରିଧାମ ଯାତ୍ରାରେ ନିୟୋଜିତ ହେଲିକପ୍ଟର ପାଇଁ ନୂଆ ନିୟମ ଲାଗୁ କରିଛି DGCA । ଏଣିକି ପ୍ରତ୍ୟେକ ହେଲିକପ୍ଟରରେ ଦୁଇ ଜଣ ପାଇଲଟ୍ ରହିବା ବାଧ୍ୟତାମୂଳକ । ଆଜିଠାରୁ ଏହି ନିୟମ ଲାଗୁ ହେବାକୁ ଥିବାବେଳେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହେଲିକପ୍ଟର ଅପରେଟର। ନିୟମ ପ୍ରତ୍ୟାହାର ନହେଲେ ଚାରିଧାମ ଯାତ୍ରାର ଚାର୍ଟର ହେଲିକପ୍ଟର ସେବା ବନ୍ଦ କରିଦେବାକୁ ଚେତାବନୀ ଦେଇଛନ୍ତି ସେମାନେ ।
ଅପରେଟରମାନେ DGCA ଏବଂ UGADAକୁ ଚିଠି ଲେଖି ନିଜର ଆପତ୍ତି ଜଣାଇଛନ୍ତି । ସେମାନଙ୍କ ଅଭିଯୋଗ ହେଉଛି, ଏହି ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କ ସହ କୌଣସି ଆଲୋଚନା କରାଯାଇନାହିଁ । ଏହାଦ୍ୱାରା ହେଲିକପ୍ଟର ସେବା ପରିଚାଳନାରେ ସମସ୍ୟା ସୃଷ୍ଟି ହେବା ସହ ଆର୍ଥିକ ବୋଝ ବଢ଼ିବ ବୋଲି ସେମାନେ କହିଛନ୍ତି । ଅପରେଟରଙ୍କ ଯୁକ୍ତି ଅନୁସାରେ, ଦୁଇ ଜଣ ପାଇଲଟ୍ ନିଯୁକ୍ତି କଲେ ଦରମା, ରହିବା ଏବଂ ଯାତାୟାତ ସମେତ ଅନ୍ୟାନ୍ୟ ଖର୍ଚ୍ଚ ବଢ଼ିବ । ବର୍ତ୍ତମାନର ଚାର୍ଟର ଭଡ଼ା ଓ କମ୍ ଲାଭକୁ ଦୃଷ୍ଟିରେ ରଖି ଏହି ଅତିରିକ୍ତ ଖର୍ଚ୍ଚ ବହନ କରିବା ସେମାନଙ୍କ ପାଇଁ କଷ୍ଟକର । ଏହି ଖର୍ଚ୍ଚର ବୋଝ ଯାତ୍ରୀଙ୍କ ଉପରେ ଲଦିବା ମଧ୍ୟ ଉଚିତ ନୁହେଁ ବୋଲି ସେମାନେ କହିଛନ୍ତି ।
ଅପରେଟରମାନେ ଆହୁରି କହିଛନ୍ତି ଯେ, ସେମାନେ DGCAର ନିୟମ ପାଳନ କରି ହିମାଳୟର ଦୁର୍ଗମ ଅଞ୍ଚଳରେ ଦୀର୍ଘଦିନ ଧରି ହେଲିକପ୍ଟର ସେବା ଯୋଗାଇ ଆସୁଛନ୍ତି । ତେଣୁ ଦୁଇ ଜଣ ପାଇଲଟ୍ ରଖିବାର ବାଧ୍ୟତାମୂଳକ ନିୟମକୁ ସେମାନେ ଗ୍ରହଣ କରିପାରିବେ ନାହିଁ । ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ସହ ତୁରନ୍ତ ଅପରେଟରଙ୍କ ସହ ଆଲୋଚନା କରିବାକୁ DGCA ଏବଂ UGADAକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ, ଯଦି ଏହି ମାମଲାରେ କୌଣସି ଠୋସ୍ ସମାଧାନ ବାହାର ନକରାଯାଏ, ତେବେ ଆଜିଠାରୁ ଚାରିଧାମ ଯାତ୍ରାର ଚାର୍ଟର ହେଲିକପ୍ଟର ସେବା ବନ୍ଦ କରିଦେବେ ବୋଲି ଅପରେଟରମାନେ ଚେତାବନୀ ଦେଇଛନ୍ତି । ବିମାନ ଚଳାଚଳ ସୁରକ୍ଷା ବଜାୟ ରଖିବା ସହ ଯାତ୍ରୀଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇବା ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜରୁରୀ ବୋଲି ସେମାନେ ମତ ଦେଇଛନ୍ତି ।

