ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଦୁବୁଲାଗଡିରେ ୭କୋଟି ଟଙ୍କାର ଦୁଇଟି ରାସ୍ତା ନିର୍ମାଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଦେଲେ ବିଧାୟକ ମାନସ କୁମାର ଦତ୍ତ ;
ଦୀର୍ଘ ଦିନର ଦାବି ପରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ଦୁବୁଲାଗଡି ଠାରେ ଦୁଇଟି ରାସ୍ତାର ପୁନରୁଦ୍ଧାର ଓ ମରାମତି ହେବାକୁ ଯାଉଛି । ପ୍ରଥମଟି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୭୩ଲକ୍ଷ ୪୮ହଜାର ଟଙ୍କା ଖର୍ଚ୍ଚ ଅଟକଳ ରେ ଜାତୀୟ ରାଜପଥ ୬୦ରୁ ବାହାବଳପୁର ପର୍ଯ୍ୟନ୍ତ ରାସ୍ତା ମରାମତି ଓ ଦ୍ଵିତୀୟଟି ୬କୋଟି ୬୪ଲକ୍ଷ ୩୪ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ଗୋବିନ୍ଦ ପ୍ରଧାନ ଘର ଠାରୁ ଶିତଲା ଶକ୍ତି ଯୁବକ ସଂଘ ଦେଇ ମନସା ମନ୍ଦିର ଫିସେରୀ ପର୍ଯ୍ୟନ୍ତ ରାସ୍ତା ପୁନରୁଦ୍ଧାର ଓ ନୂତନ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ପରିପ୍ରେକ୍ଷୀରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରିଓଡିକାଲ ମେଂଟାନାନ୍ସ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଦୁବୁଲାଗଡି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଦୁଇ ପ୍ରକଳ୍ପର ଶୁଭ ଦେଇଥିଲେ । ଗ୍ରାମାଞ୍ଚଳକୁ ସହର ସହିତ ଯୋଡ଼ିବା ଲକ୍ଷ୍ୟରେ ଯାତାୟତ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ ପୂର୍ବକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଦୁବୁଲାଗଡି ଓ ନିକଟସ୍ଥ ବାହାବଳପୁର ପଂଚାୟତର ଲକ୍ଷାଧରକ ଲୋକଙ୍କ ପାଇଁ ଦୁଇ ପ୍ରମୁଖ ରାସ୍ତାର ପୁନରୁଦ୍ଧାର ପାଇଁ ଲୋକଙ୍କ ଦାବି ଅନୁସାରେ କାର୍ଯ୍ୟ ଆରମ୍ଭ ହେଉଛି । ସଠିକ ମାନଦଣ୍ଡ ଓ ଗୁଣବତା ଯୁକ୍ତ ରାସ୍ତା ନିର୍ମାଣ ପାଇଁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୋଟ ୭କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ନିର୍ମିତ ହେବାକୁ ଥିବା ଏହି ଦୁଇ ରାସ୍ତା ଯୋଜନାବଦ୍ଧ ତଥା ଧାର୍ଯ୍ୟ ସମୟମୀମା ମଧ୍ୟରେ ଶେଷ ହେବ ବୋଲି ଶ୍ରୀ ଦତ୍ତ ସୂଚନା ଦେଇଛନ୍ତି । ଦୁବୁଲାଗଡି ସମିତି ସଭ୍ୟ ରବୀନ୍ଦ୍ର ଜେନାଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୌଭାଗ୍ୟ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ବେହେରା ଓ ବାହାବଳପୁର ସମିତି ସଭ୍ୟା ରଶ୍ମିତା ମଣ୍ଡଳ ପ୍ରମୁଖ ମଞ୍ଚାସୀନ ଥିଲେ। ଲୋକନାଥ ଭୂୟାଁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏହି ଅବସରରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ୬ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ସ୍ଥାନୀୟ ୟୁନିଅନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ ନିର୍ମାଣ ପ୍ରକଳ୍ପ ପାଇଁ ବିଧାୟକ ଶ୍ରୀ ଦତ୍ତ ଶୁଭ ଦେଇଥିଲେ। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଶତାଧିକ ଜନସାଧାରଣ ଯୋଗଦେଇଥିଲେ ।