କଷାଫଳ ଏବଂ ପରିଖିରୁ ଦୁବୁଲାଗଡି ପର୍ଯ୍ୟନ୍ତ ସୁଦୀର୍ଘ ସାମୁଦ୍ରିକ ବନ୍ଧ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର ଦେଲେ ସଦର ବିଧାୟକ ମାନସ କୁମାର ଦତ୍ତ
ବାଲେଶ୍ଵର ସଦର ନିର୍ବାଚନମଣ୍ଡଳୀର ସମୁଦ୍ରକୁଳିଆ ଅଞ୍ଚଳରେ ବର୍ଷ ବର୍ଷ ଧରି ଲୁଣା ପାଣି ମାଡ଼ି ଯିବାର ଭୟ ମଧ୍ୟରେ କାଳାତିପାତ କରୁଛନ୍ତି ଲକ୍ଷାଧିକ ଲୋକ। ଲୋକଙ୍କ ସମସ୍ୟାକୁ ଗୁରୁତ୍ଵ ଦେଇ ସାର୍ଥା ପଞ୍ଚାୟତରେ ଲୁଣା ବନ୍ଧ ପ୍ରକଳ୍ପକୁ ବାସ୍ତବତାର ରୂପ ଦେବାରେ ସକ୍ଷମ ହେବା ପରେ ଏବେ କଷାଫଳ ଓ ଦୁବୁଲାଗଡିରେ ମଧ୍ୟ ଅନୁରୂପ ଲୁଣା ପଥର ବନ୍ଧ ନିର୍ମାଣ ପାଇଁ ଅଣ୍ଟା ଭିଡିଛନ୍ତି ସଦର ବିଧାୟକ ମାନସ କୁମାର ଦତ୍ତ। ପରିଖିରୁ ଦୁବୁଲାଗଡି ଏବଂ କଷାଫଳ ବେଳାଭୂମିରେ ଅନୁରୂପ ପଥର ଲୁଣା ବନ୍ଧ ନିର୍ମାଣ ଉଦ୍ଦେଶ୍ୟରେ ବିଧାୟକ ଶ୍ରୀ ଦତ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ ପୂର୍ବକ ଏକ ଅନୁରୋଧ ପତ୍ର ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି। ଲୋକଙ୍କ ସରକାର ପ୍ରତ୍ୟେକ ମୁହୂର୍ତ୍ତରେ ଲୋକଙ୍କ ଆବଶ୍ୟକତା ପୂରଣକୁ ପ୍ରାଥମିକତା ଦେଉଥିବା ବେଳେ ବାଲେଶ୍ଵର ସଦର ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଦୀର୍ଘ ଦିନର ଦାବି ଉପରେ ସରକାର ବିଚାର କରିବେ ବୋଲି ବିଧାୟକ ଶ୍ରୀ ଦତ୍ତ ଆଶା ପ୍ରକାଶ କରିଛନ୍ତି ।
ବାଲେଶ୍ଵର ସଦର ନିର୍ବାଚନମଣ୍ଡଳୀର ସମୁଦ୍ରକୂଳିଆ ଅଞ୍ଚଳରେ ଜୁଆରିଆ ପାଣି ମାଡ଼ିବା ସାଧାରଣ କଥା। ପୂର୍ଣ୍ଣିମା ବା ଅମାବାସ୍ୟାରେ ଉଚ୍ଚ ଜୁଆରର ପ୍ରକୋପରେ ଏଠାକାର ଧନ ଜୀବନକୁ ଅସ୍ତବ୍ୟସ୍ତ କରିପକାଏ। ସମୁଦ୍ରର ଲୁଣା ପାଣି ମାଡ଼ିଯାଏ ମାଇଲ ମାଇଲ ବାଟ । ଜମିଜମା ଲୁଣା ପାଣିରେ ଏକାକାର ହୋଇଯାଏ। ଏହାକୁ ନେଇ ଲୁଣା ଜୁଆରରୁ ରକ୍ଷା ଦେବାକୁ ସମୁଦ୍ର ଉପକୂଳରେ ବନ୍ଧ ନିର୍ମାଣ ପାଇଁ କାହିଁ କେତେ କାଳରୁ ଲୋକେ ଦାବି କରି ଆସୁଛନ୍ତି। ୨୦୨୨ ମସିହାର ୟାସ୍ ବାତ୍ୟାରେ ୧୦ଫୁଟ ଉଚ୍ଚର ସମୁଦ୍ର ଜୁଆର ମାଡ଼ି ଯାଇଥିଲା ସ୍ଥଲଭାଗକୁ। ସମତଳ ଉପକୂଳ ହୋଇଥିବାରୁ ଲୁଣା ଜୁଆର ପାଣି ପଶି ଯାଇଥିଲା ସ୍ଥଳଭାଗରେ ପ୍ରାୟ ୬ କିଲୋମିଟର ପର୍ଯ୍ୟନ୍ତ । ସେତେବେଳେ ଗାଁ ଗଣ୍ଡା ବୁଡ଼ି ଯାଇଥିଲା ଲୁଣା ପାଣିରେ। ଏମିତିକି ପିଇବା ପାଣି ପାଇବା ଲୋକଙ୍କ ପାଇଁ କଷ୍ଟକର ପରିସ୍ଥିତି ସୃଷ୍ଟି କରିଥିଲା। ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ଯ ଅନୁଧ୍ୟାନ ପାଇଁ ସେ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ସାର୍ଥାରେ ଲୁଣାବନ୍ଧ ନିର୍ମାଣ ଉପରେ ଗୁରୁତ୍ବ ଦେଇଥିଲେ। ରାଜ୍ୟରେ ନୂତନ ସରକାର ଗଠନ ହେବା ପରେ ଲୋକଙ୍କ ଦାବି ପୂରଣ ନେଇ ଆଶା ସଂଚାର ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକୀୟ ଅର୍ଥ ଅନୁଦାନ ମଞ୍ଜୁର ପରେ ସାର୍ଥାରେ ଲୁଣା ବନ୍ଧର ନିର୍ମାଣ କାର୍ଯ୍ୟ ବାସ୍ତବ ରୂପ ନେବାର ସକ୍ଷମ ହୋଇପାରିଥିବା ବେଳେ କଷାଫଳ ଓ ପରିଖୀ ଠାରୁ ଦୁବୁଲଗଡି ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ ପାଇଁ ବିଧାୟକ ପ୍ରୟାସ ଆରମ୍ଭ କରିଛନ୍ତି। ତାଙ୍କର ଏହି ସାଧୁ ଉଦ୍ୟମକୁ ସମଗ୍ର ନିର୍ବାଚନମଣ୍ଡଳୀର ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି।