ନୂଆଦିଲ୍ଲୀ : ଆମେରିକାର ତଦନ୍ତକାରୀ ସଂସ୍ଥା FBI ଗ୍ୟାଙ୍ଗଷ୍ଟର ସତିନ୍ଦରଜିତ ସିଂହ ଓରଫ ଗୋଲ୍ଡି ବ୍ରାରକୁ ୧୦ ଜଣ ମୋଷ୍ଟ ୱାଣ୍ଟେଡ୍ ଫେରାର୍ ତାଲିକାରେ ସାମିଲ କରିଛି । FBI ଅନୁଯାୟୀ, ଗୋଲ୍ଡି ବ୍ରାରର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଉତ୍ତର ଆମେରିକାର ପ୍ରମୁଖ ଗ୍ୟାଙ୍ଗଷ୍ଟର । ଆମେରିକା ଓ କାନାଡାରେ ଏହି ନେଟୱର୍କର କାର୍ଯ୍ୟକଳାପ ବ୍ୟାପିଥିବା ଏଜେନ୍ସି କହିଛି ।
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସହଯୋଗୀ ଗୋଲ୍ସି ବ୍ରାର୍ ଉପରେ କାନାଡା ସରକାର ୨.୫୦ ଲକ୍ଷ ଡଲାର ( ପ୍ରାୟ ୧.୬୨ କୋଟି ଟଙ୍କା )ର ପୁରସ୍କାର ଘୋଷଣା କରିଛନ୍ତି । ତାକୁ ଧରାଇଦେବାରେ ସହାୟତା କିମ୍ବା ତା’ ବାବଦରେ କୌଣସି ସୂଚନା ଦେଲେ ଏହି ପୁରସ୍କାର ଦିଆଯିବ । ସତୀନ୍ଦରଜିତ ସିଂହ ଓରଫ ଗୋଲ୍ଡି ବ୍ରାର୍କୁ କାନାଡାର ମୋଷ୍ଟ ୱାଣ୍ଟେଡ୍ ତାଲିକାର ସବା ଉପରେ ରଖାଯାଇଛି । ଭାରତରୁ ଫେରାର ପରେ ଗୋଲ୍ଡି କାନାଡା ପଳାୟନ କରିଥିଲା । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟା ସମେତ ଅନେକ ସଙ୍ଗିନ ଅପରାଧିକ ମାମଲାରେ ସମ୍ପୃକ୍ତ ଗୋଲ୍ଡି ଭାରତର ୱାଣ୍ଟେଡ୍ ତାଲିକାରେ ବି ରହିଛି ।
FBIର ସୂଚନା ଅନୁଯାୟୀ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଉପରେ ରାଜନୈତିକ ଓ ଧାର୍ମିକ ବ୍ୟକ୍ତିତ୍ୱଙ୍କ ହତ୍ୟା, ଗୁଳିକାଣ୍ଡ, ଅପହରଣ, ଦାଦାବଟି ଆଦାୟ ଏବଂ ଆକ୍ରମଣ ଭଳି ଗୁରୁତର ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି । ଏହାବ୍ୟତୀତ ମାନବ ଚାଲାଣ, ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣରେ ମଧ୍ୟ ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ଏହାବ୍ୟତୀତ ବ୍ରିଟିଶ କଲମ୍ବିଆରେ ୨୦୨୩ରେ ଖଲିସ୍ତାନ ସମର୍ଥକ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ସମେତ ଅନ୍ୟ ଦୁଇଟି ହତ୍ୟା ମାମଲାରେ ମଧ୍ୟ ଗୋଲ୍ଡି ବ୍ରାରରକୁ ପୋଲିସ ଖୋଜୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

