ତିହିଡି, ୧୯.୧୧ : ସାମ୍ଭାବ୍ୟ ବାତ୍ୟା “ଆକଭନ” ଜନିତ ଲଗାଣ ବର୍ଷା ହେବା ଯୋଗୁଁ ସ୍ଥଗିତ ରହିଲା ନ୍ୟାୟ ପାଇଁ ସ୍ନିଗ୍ଧାରାଣୀଙ୍କ ଥାନା ସମ୍ମୁଖରେ ଅନଶନ । ପାଣିପାଗର ସୁଧାର ଆସିବା ପରେ ପରବର୍ତ୍ତୀ ସମୟରେ ପୋଲିସକୁ ଅବଗତ କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଥାନାରେ ମାମଲା ରୁଜୁ ହେବାପରେ ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ପଦକ୍ଷେପ ଗ୍ରହଣ କରୁନଥିବାରୁ ସେ ଦୁଇ ଥର ଜିଲ୍ଲା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଶେଷରେ ନିରୁପାୟ ହୋଇ ନ୍ୟାୟ ପାଇଁ ଥାନା ସମ୍ମୁଖରେ ୧୯ ତାରିଖ ଦିବା ୧୧ ଘଟିକା ସମୟରେ ଅନଶନରେ ବସିବେ ବୋଲି ସପ୍ତାହେ ତଳେ ଏସପିଙ୍କ ସମେତ ଥାନାକୁ ଅବଗତ କରିଥିଲେ । ମାତ୍ର ଆଜିର ପାଣିପାଗର ପ୍ରତିକୂଳ ପରିସ୍ଥିତି ଯୋଗୁଁ ତାହା ସ୍ଥଗିତ ରହିଲା ବୋଲି ସୂଚନା ମିଳିଛି । ପୀଡିତା ହେଉଛନ୍ତି ତିହିଡି ଥାନାଧିନ ଗୁଆମାଳ(ମୋଡସାହି)ରେ ଚିନ୍ତାମଣି ବେହେରାଙ୍କ ସ୍ତ୍ରୀ ସ୍ନିଗ୍ଧାରାଣୀ ବେହେରା ଏବଂ ସେ ପୀରହାଟ ଥାନାଧିନ କଣ୍ଡରାଗଡିଆ ମଝିସାହିର ବିଦ୍ୟାଧର ସେଠୀଙ୍କ ଝିଅ । ବାପାଙ୍କ ଅସୁସ୍ଥତା ଖବର ପାଇ ସ୍ନିଗ୍ଧାରାଣୀ ଗତ ତା ୦୬.୧୧.୨୬ରିଖରେ ସେଠାକୁ ଯାଇଥିଲେ । ଅପରପକ୍ଷ ତାଙ୍କ ଭାଇ ସୁକାନ୍ତ କୁମାର ସେଠୀଙ୍କ ସହିତ ଟଙ୍କା ପଇସା ଦେଣନେଣକୁ ନେଇ ବଚସା ହୋଇଥିଲା । ସୁକାନ୍ତ ତାଙ୍କୁ ବିଧା, ଚାପୁଡ଼ା ମାରିବା ସହିତ ଚୁଟିକୁ ଧରି ଘୋଷାରି ତଳେ ପକାଇ ଛାତି, ତଳିପେଟକୁ ଗୋଇଠା ମାରିଥିଲେ । ପରେ ମରଣାନ୍ତକ ଆକ୍ରମଣ କରିଥିଲେ ଫଳରେ ତାଙ୍କ ଡାହାଣ ଗୋଡ଼ର ବୁଢ଼ା ଆଙ୍ଗୁଠି ଉପରେ ଗଭୀର କ୍ଷତ ହେବା ସହ ରକ୍ତ ବନ୍ଦ ନହେବାରୁ ସ୍ନିଗ୍ଧାରାଣୀ ତାଙ୍କ ସ୍ୱାମୀଙ୍କ ସହ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତୀ ହୋଇଥିଲେ ଏବଂ ସେଠାରେ ତାଙ୍କ ଗୋଡ଼ରେ ୪/୫ଟି ଷ୍ଟିଚ୍ ପଡ଼ିଥିଲା । ଘଟଣାକୁ ନେଇ ସେଦିନ ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକି ପାରିବାରିକ ଘଟଣା ହେତୁ ଏହାର ଆପୋଷ ସମାଧାନ ଭଦ୍ରଲୋକମାନଙ୍କ ମାଧ୍ୟମରେ କରିବାକୁ ପରାମର୍ଶ ଦେଇଥିଲେ । ଯାହାକୁ ନେଇ ଗତ ୧୮.୧୦.୨୦୨୬ରିଖରେ ଦିବା ୧୨ଘଟିକା ସମୟରେ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଏହାର ଆପୋଷ ସମାଧାନ ପାଇଁ ବାପଘରେ ଆଲୋଚନା କରା ଯାଉଥିଲା । କିନ୍ତୁ ସେଠାରେ ତାଙ୍କ ୩ ଭାଇ ଓ ୩ ପୁତୁରାମାନେ ସମସ୍ତ ବନ୍ଧୁବାନ୍ଧବଙ୍କ କଥାକୁ ଫାଙ୍କି ଦେଇ ଗାଳି ଦେବା ସହ ଧକ୍କା ମାରି, ତଣ୍ଟିିକୁ ଧରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ସେତେବେଳେ ବୃଦ୍ଧା ମାଆ ସେମାନଙ୍କ କଳବରୁ ଉଦ୍ଧାର କରି ବାହାରକୁ ପଠାଇ ଦେଇଥିଲେ । ଘଟଣାକୁ ନେଇ ପୂନଶ୍ଚ ପୀରହାଟ ଥାନାରେ ଏତଲା ଦେଇଥିଲେ ସ୍ନିଗ୍ଧାରାଣୀ । ଏନେଇ ପୋଲିସ ସଂଗୀନ ଦଫା ୨୯୬, ୧୭୨(୨), ୩୦୩(୨), ୧୧୫(୨), ୧୦୯, ୩(୫)ରେ ଏକ ମାମଲା ୨୪୩ ରୁଜୁ କରିଛି । ମାତ୍ର ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ସ୍ନିଗ୍ଧାରାଣୀ ପୀରହାଟ ଥାନା ସମ୍ମୁଖରେ ଅନଶନରେ ବସିବା ପାଇଁ ନିଷ୍ପତି ନେଇଥିଲେ ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

