ସୋରଡ଼ା: ବାତ୍ୟା ଅକଭାନ୍କୁ ନେଇ ପ୍ରଶାସନର ସତର୍କତା । ଦୁଇ ଦିନ ପାଇଁ ବନ୍ଦ ରହିବ ଦାରିଙ୍ଗିବାଡ଼ି ଘାଟି । ଘାଟି ରାସ୍ତାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳ ଉପରେ ଲଗାଯାଇଛି କଟକଣା । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ମାଟି ଅତଡ଼ା ଧସିବା ସହ ବଡ଼ ବଡ଼ ଗଛ ଉପୁଡ଼ିବାର ଆଶଙ୍କା ରହିଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ପଦକ୍ଷେପ ନେଇଛି ।
ଦାରିଙ୍ଗିବାଡ଼ି ଘାଟି ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଏଠାରେ ପୂର୍ବରୁ ଅନେକଥର ମାଟି ଅତଡ଼ା ଖସିବା ଘଟଣା ସାମ୍ନାକୁ ଆସିଛି । ଏପରିକି ମାଟି ଧସିବା ଯୋଗୁଁ ବଡ଼ ବଡ଼ ଟ୍ରକ୍ ଓ ବସ୍ ଦୁର୍ଘଟଣାର ଶିକାର ହୋଇଛନ୍ତି। ତେଣୁ ବାତ୍ୟା ସମୟରେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଘାଟିକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ପୂର୍ବରୁ ଗାଜଲବାଡ଼ି ଗାଁ ନିକଟରେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ NH-59କୁ ବନ୍ଦ କରାଯାଇଛି। ବାତ୍ୟା ଅକଭାନ୍ର ସମ୍ଭାବ୍ୟ ପ୍ରଭାବକୁ ଦେଖି ଯାତ୍ରୀ ଓ ଯାନବାହନ ଚାଳକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ସତର୍କତାମୂଳକ ପଦକ୍ଷେପ ଜାରି ରହିଛି।
ଅନ୍ୟପଟେ, ବାତ୍ୟା ‘ଅକଭାନ୍’କୁ ନେଇ ବଡ଼ ପଦକ୍ଷେପ । ସକାଳୁ ସକାଳୁ କଳିଙ୍ଗା ଘାଟିକୁ ସିଲ୍ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ଫଳରେ ଗଞ୍ଜାମରୁ କନ୍ଧମାଳକୁ ଯାତାୟତ ବନ୍ଦ ହୋଇଛି । ବର୍ଷା ଓ ବାତ୍ୟା କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୭୨ ହଜାର ଲୋକ ସ୍ଥାନାନ୍ତରିତ ହୋଇଛନ୍ତି। ୯ ହଜାର ୧୦୦ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଚିହ୍ନଟ ହୋଇଛନ୍ତି । ଗଜପତି, କନ୍ଧମାଳ, ଗଞ୍ଜାମ ସୀମାରେ ଭୂସ୍ଖଳନ ସ୍ଥାନ ଚିହ୍ନଟ କରିକି ସ୍ଥାନାନ୍ତରିତ କାର୍ଯ୍ୟ ଜାରି ରହିଛି । କଳିଙ୍ଗା ଘାଟିରେ ବ୍ୟାରିକେଡ଼ ଲଗାଯାଇଛି।ଯାତାୟତ ବନ୍ଦ କରାଯାଇଛି । ବିଭିନ୍ନ ଡ୍ୟାମର ୨୩ଟା ଗେଟ ଖୋଲାଯାଇଛି । ରେଳ ବିଭାଗ ସମନ୍ୱୟ ସେଲ କରିଛି । ଗଞ୍ଜାମ, ଗଜପତି,ପୁରୀ, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଜି ରେଡ ୱାର୍ଣିଂ ରହିଛି ।

