ତିହିଡି, ୧୮.୧୧ : ଭଦ୍ରକ ଜିଲ୍ଲା ପୀରହାଟ ପୋଲିସକୁ ମିଳିଛି ଏକ ବଡ ସଫଳତା । ମଙ୍ଗଳବାର ରାତି ପେଟ୍ରୋଲିଂ ସମୟରେ ଏହି ଥାନାଧିନ ପୀରହାଟ ପାଢୀସାହିସ୍ଥିତ ମୁସଲମାନ ବସ୍ତିରେ ଗୋମାଂସ ବାହାରାକୁ ଚାଲାଣ ହେବାନେଇ ପୋଲିସକୁ ମିଳିଥିଲା ସୂରାକ । ଆଉ ଚାଲାଣ ହେଉଥିବା ବେଳେ ବୁଧବାର ଭୋର୍ ପ୍ରାୟ ୫.୩୦ ଘଟିକାରେ ମାଡି ବସିଲା ପୋଲିସ । ଗୋମାଂସ ବୋଝେଇ ଭେନ୍କୁ ଥାନାକୁ ଆଣି ଯାଞ୍ଚ କରିବା ପରେ ସେଥିରୁ ୩୦ରୁ ଉର୍ଦ୍ଧ ଗୋରୁ ଚମଡା ଥିବା ଜଣାଯାଇଛି । ଯାହା ସେଠାରେ ଗୋହତ୍ୟା କରାଯାଇ ଚମଡା ସହ ଗୋମାଂସକୁ ବାହାରକୁ ଚାଲାଣ କରାଯାଉଥିବା ପ୍ରମାଣିତ କରୁଛି । ପୋଲିସ ଚଢଉ ସମୟରେ ୩ ଜଣ ଧରା ପଡିଥିବା ବେଳେ ମୁଖ୍ୟ ଆସାମୀ ତଥା ସେହି ମୁସଲମାନ ବସ୍ତି ବାସିନ୍ଦା ସ୍ୱର୍ଗତ ଫରଜାନ ସାହାଜୀଙ୍କ ପୁଅ ସାହିମତ ସାହାଜୀ(୬୫) ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ପୋଲିସ ହାତରେ ଧରା ପଡିଥିବା ଆସାମୀ ହେଲେ ଗୌର ଦଳେଇ(୪୫), ସୈଦୁଲ ସାହା(୩୪) ଓ ହମିଦୁଲ ସାହା(୨୮) ଏବଂ ସେମାନେ ପଶ୍ଚିମବଙ୍ଗ ମେଦିନାପୁର ବାସିନ୍ଦା । ସେମାନଙ୍କ ବିରୋଧରେ ସଂଗୀନ ଦଫା ୩୨୫/୩(୫) ବିଏନଏସ ଏବଂ ୭ ଅଫ୍ ଓଡିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଏକ୍ଟ ମୂଳେ ପୋଲିସ ଏକ ମାମଲା ୨୭୬/୨୬ ରୁଜୁ କରି ପୋଲିସ ଆସାମୀମାନଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି । ଗୋମାଂସ ଓ ଚମଡା ବୋଝେଇ ହୋଇଥିବା ପିକ୍ଅପ୍ ଭେନ୍ ଡବ୍ଲ୍ୟୁବି-୩୧-ଏ-୭୩୨୩କୁ ଜବତ୍ କରାଯାଇଛି । ତେବେ ଗାଡିରେ ଥିବା ଗୋମାଂସ ଓ ଚମଡାକୁ ରାତିରେ ମାଟି ତଳେ ପୋତାଯିବ ବୋଲି ଆଇଆଇସି ରୋଜାଲିନୀ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ଗୋରକ୍ଷକ । ବାରମ୍ବାର ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଦୈନିକ ଟ୍ରିପ୍ ଟ୍ରିପ୍ ଜୀବନ୍ତ ଗୋମାତା ସହ ଗୋମାଂସ ମଧ୍ୟ ଚାଲାଣ କରାଯାଉଛି । ଏଥିସହ ବୁଲା ଷଣ୍ଢଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ଯାହା ଗୋମାତା ଚାଲାଣକାରୀଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହି ମାମଲାରେ ଜଡିତ ମୁଖ୍ୟ ଆସାମୀ ଧରାଗଲେ ସୁଦୂର ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ସ୍ଥାନୀୟ ଲୋକଙ୍କ ଭୂମିକା ସ୍ପଷ୍ଟ ହୋଇ ପାରିବ ବୋଲି ମତପ୍ରକାଶ ପାଇଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

