ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିସନ୍ ରେଳ ଷ୍ଟେସନକୁ ବୋମା ଧମକ ମିଳିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ସୂଚନା ମିଳିଛି । ମୁମ୍ବାଇ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡିକୁ ସତର୍କ କରାଯାଇଥିଲା । ଡଗ୍ ସ୍କ୍ୱାଡ୍ ଏବଂ ବୋମା ନିଷ୍କ୍ରିୟକାରୀ ଦଳକୁ ତୁରନ୍ତ ଷ୍ଟେସନକୁ ଡକାଯାଇଥିଲା। ପ୍ରାୟ ତିନି ଘଣ୍ଟା ଧରି ଷ୍ଟେସନ ପରିସରରେ ଏକ ସର୍ଚ୍ଚ ଅପରେସନ୍ କରାଯାଇଥିଲା । କିନ୍ତୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ଜଣାପଡିଛି ।
ସୂଚନାନୁଯାୟୀ, ନଭେମ୍ବର ୧୪ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୫୦ ମିନିଟରେ ପୋଲିସ କଣ୍ଟ୍ରୋଲ ରୁମକୁ ଡାଏଲ୍ ୧୧୨ ମାଧ୍ୟମରେ ଏକ ଧମକପୂର୍ଣ୍ଣ କଲ୍ ମିଳିଥିଲା । କଲର ଜଣକ CSMT ରେଳ ଷ୍ଟେସନରେ ବୋମା ରଖିବାକୁ ଧମକ ଦେଇଥିଲେ । କଲର ଜଣକ ମୋବାଇଲ୍ ନମ୍ବର ୯୪୨୦୧୧୨୬୫୫ ରୁ କଲ୍ କରିଥିଲେ । ରେଳ ଷ୍ଟେସନ ଭଳି ଏକ ଜନଗହଳିପୂର୍ଣ୍ଣ ସାର୍ବଜନୀନ ସ୍ଥାନରେ ବୋମା ଧମକ ପାଇବା ପରେ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇଥିଲା ଏବଂ ତୁରନ୍ତ ସୁରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିଥିଲା । ଏଥିସହ କୁକୁର ସ୍କ୍ୱାଡ୍ ଏବଂ ଏକ ବୋମା ଚିହ୍ନଟ ଏବଂ ନିଷ୍କ୍ରିୟ ସ୍କ୍ୱାଡ୍ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ଷ୍ଟେସନ ପରିସରରେ ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଥିଲା । ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ସର୍ଚ୍ଚ ଅପରେସନ୍ ରାତି ପ୍ରାୟ ୯ଟା ୩୦ ମିନିଟରେ ଶେଷ ହୋଇଥିଲା । ଷ୍ଟେସନ ପରିସରରୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥଲା । ଯାହା ସମସ୍ତଙ୍କୁ ଆଶ୍ବସ୍ତି ଦେଇଥିଲା ।
ଅନ୍ୟପଟେ ପୋଲିସ ବର୍ତ୍ତମାନ ଧମକପୂର୍ଣ୍ଣ କଲ୍ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ କାମ କରୁଛି। ଯେଉଁ ମୋବାଇଲ୍ ନମ୍ବରରୁ କଲ୍ କରାଯାଇଥିଲା ତାହା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଉଛି ।

