ବାଲେଶ୍ୱର: ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ସମାୟ ଟୁଡୁଙ୍କ ନେତୃତ୍ୱରେ ଆଜି ବାଲେଶ୍ୱର ଜିଲ୍ଲା କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା ଓ ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଜ୍ୟ ସଭାପତି କନ୍ଦରା ସୋରେନ ମିଳିତ ଭାବେ ଉଦ୍ବୋଧନ ଦେଇଥିଲେ।
ବକ୍ତାମାନେ କହିଥିଲେ ଯେ, କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର ଗଠନ ପରଠାରୁ ଦେଶର ଜାତି ଓ ଜନଜାତି ସମାଜର ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ଉନ୍ନତି ପାଇଁ ଅନେକ ଐତିହାସିକ ପଦକ୍ଷେପ ନିଆଯାଇଛି। ଜନଜାତି ସମାଜର ଗୌରବମୟ ଇତିହାସ, ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଅବଦାନ ଏବଂ ଅନେକ ବୀର ମହାପୁରୁଷଙ୍କ ବଳିଦାନକୁ ଯଥୋଚିତ ସମ୍ମାନ ଦେବା ସହ ଲୋକଲୋଚନକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଯାହାକି ଇତିହାସର ପୃଷ୍ଠାରେ ସ୍ଥାନ ପାଇପାରି ନଥିଲା।
ଏହି ଉଦ୍ଦେଶ୍ୟରେ ଦେଶବ୍ୟାପୀ ଜନଜାତି ଗୌରବ ଦିବସ ପାଳନ କରାଯାଉଛି। ନଭେମ୍ବର ୧୧ ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନ, ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରାଯିବା ସହ ଝାଡ଼ଖଣ୍ଡର ଡମ୍ବାରୀ ଗୁରୁ, ଓଡ଼ିଶାର ଲକ୍ଷ୍ମଣ ନାୟକ ଏବଂ ଅନ୍ୟାନ୍ୟ ଜନଜାତି ବୀରଙ୍କ ତ୍ୟାଗ ଓ ସଂଘର୍ଷକୁ ସ୍ମରଣ କରାଯାଇଥିଲା।
ବିଜେପି ସରକାରଙ୍କ ଅମଳରେ ଭଗବାନ ବିର୍ସା ମୁଣ୍ଡା, ସିଧ କାନ୍ହୁ, ତିଲକା ମାଝୀ, ଗୋବିନ୍ଦ ଗୁରୁଙ୍କ ଭଳି ମହାନ ଜନଜାତି ନାୟକମାନଙ୍କୁ ଉଚିତ ସମ୍ମାନ ମିଳିଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଆଜି ଜନଜାତି ସମାଜର ବ୍ୟକ୍ତିମାନେ ଦେଶର ବିଭିନ୍ନ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇ ସମାଜର ଗୌରବ ବୃଦ୍ଧି କରୁଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହାର ଉଦାହରଣ ବୋଲି ସେମାନେ କହିଥିଲେ।
ଏହି ଅବସରରେ ନଭେମ୍ବର ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଜନଜାତି ଗୌରବ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭଗବାନ ବିର୍ସା ମୁଣ୍ଡା ଓ ଲକ୍ଷ୍ମଣ ନାୟକଙ୍କ ସ୍ମୃତିରେ ଦୀପଦାନ କରାଯିବା ସହ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହେବ।
ଏଥିସହ ଆଦିବାସୀ ବହୁଳ ଅଞ୍ଚଳରେ ଗୌରବ ଯାତ୍ରା, ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ, ସ୍ଥାନୀୟ ଜନଜାତି ନେତୃତ୍ୱ, କଳାକାର ଓ ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା, ସ୍ୱାସ୍ଥ୍ୟ ଶିବିର ଆୟୋଜନ ଏବଂ ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଥିଲା।
ଏହି ସାମ୍ବାଦିକ ସମ୍ମିଳନୀରେ ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ତଥା ମୋର୍ଚ୍ଚାର ଜିଲ୍ଲା ପ୍ରଭାରୀ ଫାଗୁ ହାଁସଦା, ଜିଲ୍ଲା ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ନନ୍ଦ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିପିନ ମାରାଣ୍ଡି ଓ ଉପାଧ୍ୟକ୍ଷ ଝରଣା ସିଂ, ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ଶାକମ୍ବରୀ ସିଂ, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ମିଡିଆ ସହସଂଯୋଜକ ରଞ୍ଜିତ ପୃଷ୍ଟି ସାମ୍ବାଦିକ ସମ୍ମିଳନୀକୁ ପରିଚାଳନା କରିଥିଲେ।

