ତିହିଡି, ୧୨.୧୧ : ଚତୁର୍ଦ୍ଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳା-୨୦୨୬ର ଦଶମ ସନ୍ଧ୍ୟାରେ କବି ତଥା ସାହିତ୍ୟିକ ସରୋଜ କୁମାର ଓଝାଙ୍କ ଚତୁର୍ଥ ଇଂରାଜୀ କବିତା ପୁସ୍ତକ ‘ସାଇଲେଣ୍ଟ ରେନ’ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇ ଯାଇଛି । ନାଟ୍ୟଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ମଞ୍ଚରେ ସନ୍ଧ୍ୟାରେ ଆୟୋଜିତ ଏକ ସାଧାରଣ ସଭାରେ ଭଦ୍ରକର ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ କରକମଳରେ ପୁସ୍ତକଟିର ଶୁଭ ଉନ୍ମୋଚନ କରିଥିଲେ । ଏହି ଭବ୍ୟ ସମାରୋହରେ ବିଶିଷ୍ଟ ଅତିଥି ଭାବେ ନାଟ୍ୟଶ୍ରୀ ଡ. ନିର୍ମଳ ଚନ୍ଦ୍ର ରାଉତ, ବରେଣ୍ୟ ଅତିଥି ସନ୍ତୋଷ କୁମାର ମିଶ୍ର ଓ ନିମାନନ୍ଦ ସାହୁ, ସମ୍ମାନିତ ବକ୍ତା ଭାବରେ ଶ୍ରୀଯୁକ୍ତ ବୌକୁଣ୍ଠନାଥ ବିଶ୍ୱାଳ ଏବଂ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ରମାକାନ୍ତ ନାୟକ ଯୋଗଦେଇଥିଲେ । ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ପୌରୋହିତ୍ୟ କରିଥିବା ବେଳେ ସଭା ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ଇଞ୍ଜିନିୟର ଅଭୟ ସୂତାର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ରବିନାରାୟଣ ଖିଲାର, ଆବାହକ ନିହାର ରଞ୍ଜନ କରଙ୍କ ସମେତ ବହୁ ସାହିତ୍ୟାନୁରାଗୀ, ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି ସାରସ୍ୱତ ଓ ସାଂସ୍କୃତିକ ଆୟୋଜନରେ ଉପସ୍ଥିତ ଥିଲେ । ‘ସାଇଲେଣ୍ଟ ରେନ୍’ କେବଳ କବିତାର ଏକ ସଂକଳନ ନୁହେଁ, ବରଂ ଏହା ମାନବୀୟ ଅନୁଭବ, ଭାବାବେଗ ଓ ଜୀବନବୋଧର ଏକ କାବ୍ୟିକ ଅଭିବ୍ୟକ୍ତି । ପ୍ରକୃତି ଓ ପରିବେଶର ମନୋରମ ଚିତ୍ର, ମାଟି ଓ ମାତୃଭୂମି ପ୍ରତି ଅନାବିଳ ଆବେଗ, ମାଆର ମମତା, ହୃଦୟର ଅକୁହା କଥା, ନୂତନ ବର୍ଷର ନୂଆ ସମ୍ଭାବନା, ସ୍ୱପ୍ନ ଓ ସଫଳତାର ଅନ୍ତର୍ନିହିତ ଭାବନା ଏହି ପୁସ୍ତକର କବିତାଗୁଡ଼ିକରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି । ଏଥିସହିତ କାଗଜ ନାଆ ଭଳି ସରଳ ତଥା ପ୍ରତୀକାତ୍ମକ ଭାବଚିତ୍ର ମାଧ୍ୟମରେ ଜୀବନର ଆଶା, ଆକାଂକ୍ଷା ଓ ସଂଘର୍ଷକୁ କବିତାର ରୂପ ଦିଆଯାଇଛି । ନୀରବ ବର୍ଷାର ଅନୁଭୂତିକୁ ଆଧାର କରି କବି ମନର ଗଭୀର ଅନୁଭବ ଓ ସମ୍ବେଦନଶୀଳତାକୁ ଶବ୍ଦଶିଳ୍ପରେ ରୂପାୟିତ କରିଛନ୍ତି । ଶ୍ରୀ ଓଝାଙ୍କ ସାହିତ୍ୟ ସାଧନାର ଏହା ଆଉଏକ ଉଲ୍ଲେଖନୀୟ ଅଧ୍ୟାୟ । ଇଂରାଜୀ ସାହିତ୍ୟ ସୃଷ୍ଟି ମାଧ୍ୟମରେ ନିଜର ଚିନ୍ତନ, ସୃଜନଶୀଳତା ଓ ମାନବୀୟ ମୂଲ୍ୟବୋଧକୁ ପାଠକଙ୍କ ନିକଟରେ ପହାଂଇବାର ତାଙ୍କର ଏହି ପ୍ରୟାସ ସାହିତ୍ୟ ଜଗତ ପ୍ରତି ତାଙ୍କର ନିଷ୍ଠା ଓ ଅନୁରାଗର ପରିଚୟ ବହନ କରେ । ପୁସ୍ତକ ଉନ୍ମୋଚନର ଏହି ମହାର୍ଘ ମୁହୂର୍ତ୍ତ ଭଦ୍ରକର ସାରସ୍ୱତ ଓ ସାଂସ୍କୃତିକ ପରିବେଶକୁ ଧିକ ଗୌରବମୟ କରିବା ସହ କବିଙ୍କ ସାହିତ୍ୟଯାତ୍ରାରେ ଏକ ନୂତନ ଉତ୍ସାହ ଓ ପ୍ରେରଣା ସଞ୍ଚାର କରିଛି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

