ତିହିଡି, ୧୧.୧୧: ନ୍ୟାୟ ନମିଳିଲେ ଅର୍ଥାତ ଅଭିଯୁକ୍ତମାନଙ୍କୁ ଗିରଫ୍ କରାନଗଲେ ଥାନା ସମ୍ମୁଖରେ ଅନଶନରେ ବସିବେ ସ୍ନିଗ୍ଧାରାଣୀ ବେହେରା । ଅସୁସ୍ଥ ବୃଦ୍ଧ ପିତା ଭେଟିବାକୁ ବାପ ଘରକୁ ଯାଇଥିବା ବେଳେ ୩ ଭାଇ ଓ ୩ ପୁତୁରାଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ । ପ୍ରଥମ ଏତଲାକୁ ଭୃକ୍ଷେପ କରାଗଲା ଏବଂ ଦ୍ୱୀତିୟ ଏତଲା ମୂଳେ ସଂଗୀନ ଦଫାରେ ଥାନାରେ ମାମଲା ହୋଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିଲା ନାହିଁ । ଯାହାକୁ ନେଇ ପୀଡିତା ବୁଧବାର ସକାଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଗୁହାରୀ କରିବା ସହିତ ସପ୍ତାହ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ୍ କରାନଗଲେ ପୀରହାଟ ଥାନା ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନି ଦେଇଛନ୍ତି । ଅଭିଯୋଗ ମୁତାବକ, ତିହିଡି ଥାନାଧିନ ଗୁଆମାଳ(ମୋଡସାହି)ରେ ଚିନ୍ତାମଣି ବେହେରାଙ୍କ ସ୍ତ୍ରୀ ସ୍ନିଗ୍ଧାରାଣୀ ବେହେରା ଏବଂ ସେ ପୀରହାଟ ଥାନାଧିନ କଣ୍ଡରାଗଡିଆ ମଝିସାହିର ବିଦ୍ୟାଧର ସେଠୀଙ୍କ ଝିଅ । ବାପାଙ୍କ ଅସୁସ୍ଥତା ଖବର ପାଇ ସ୍ନିଗ୍ଧାରାଣୀ ଗତ ତା ୦୬.୧୧.୨୬ରିଖରେ ସେଠାକୁ ଯାଇଥିଲେ । ଅପରପକ୍ଷ ତାଙ୍କ ଭାଇ ସୁକାନ୍ତ କୁମାର ସେଠୀଙ୍କ ସହିତ ଟଙ୍କା ପଇସା ଦେଣନେଣକୁ ନେଇ ବଚସା ହୋଇଥିଲା । ସୁକାନ୍ତ ତାଙ୍କୁ ବିଧା, ଚାପୁଡ଼ା ମାରିବା ସହିତ ଚୁଟିକୁ ଧରି ଘୋଷାରି ତଳେ ପକାଇ ଛାତି, ତଳିପେଟକୁ ଗୋଇଠା ମାରିଥିଲେ । ଆକ୍ରମଣ କରି ପ୍ରହାର କରିବାରୁ ଡାହାଣ ଗୋଡ଼ର ବୁଢ଼ା ଆଙ୍ଗୁଠି ଉପରେ ଗଭୀର କ୍ଷତ ହେବା ସହ ରକ୍ତ ବନ୍ଦ ନହେବାରୁ ସ୍ନିଗ୍ଧାରାଣୀ ତାଙ୍କ ସ୍ୱାମୀଙ୍କ ସହ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତୀ ହୋଇଥିଲେ ଏବଂ ସେଠାରେ ତାଙ୍କ ଗୋଡ଼ରେ ୪/୫ଟି ଷ୍ଟିଚ୍ ପଡ଼ିଥିଲା । ଘଟଣାକୁ ନେଇ ସେ ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଆଇଆଇସି ଉଭୟ ପକ୍ଷଙ୍କୁ ଥାନାକୁ ଡାକି ପାରିବାରିକ ଘଟଣା ହେତୁ ଏହାର ଆପୋଷ ସମାଧାନ ଭଦ୍ରଲୋକମାନଙ୍କ ମାଧ୍ୟମରେ କରିବାକୁ ପରାମର୍ଶ ଦେଇଥିଲେ । ଯାହାକୁ ନେଇ ଗତ ୧୮.୧୦.୨୦୨୬ରିଖରେ ଦିବା ୧୨ଘଟିକା ସମୟରେ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଏହାର ଆପୋଷ ସମାଧାନ ପାଇଁ ବାପଘରେ ଆଲୋଚନା କରାଯାଉଥିଲା । କିନ୍ତୁ ସେଠାରେ ତାଙ୍କ ୩ ଭାଇ ଓ ୩ ପୁତୁରାମାନେ ସମସ୍ତ ବନ୍ଧୁବାନ୍ଧବଙ୍କ କଥାକୁ ଫାଙ୍କି ଦେଇ ଗାଳି ଦେବା ସହ ଧକ୍କା ମାରି, ତଣ୍ଟିିକୁ ଧରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ । ସେତେବେଳେ ବୃଦ୍ଧା ମାଆ ସେମାନଙ୍କ କଳବରୁ ଉଦ୍ଧାର କରି ବାହାରକୁ ପଠାଇ ଦେଇଥିଲେ । ଘଟଣାକୁ ନେଇ ପୂନଶ୍ଚ ପୀରହାଟ ଥାନାରେ ଏତଲା ଦେଇଥିଲେ ସ୍ନିଗ୍ଧାରାଣୀ । ଏନେଇ ପୋଲିସ ସଂଗୀନ ଦଫା ୨୯୬, ୧୭୨(୨), ୩୦୩(୨), ୧୧୫(୨), ୧୦୯, ୩(୫)ରେ ଏକ ମାମଲା ୨୪୩ ରୁଜୁ କରିଛି । ନ୍ୟୟ ପ୍ରଦାନ ଦାବୀରେ ପୂର୍ବରୁ ମଧ୍ୟ ଗତ ତା ୦୨.୧୧.୨୬ରିଖ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ ଏବଂ ତାଙ୍କ କାର୍ଯ୍ୟାଳୟରୁ ଆଇଆଇସିଙ୍କୁ ମଧ୍ୟ ଫୋନ୍ ହୋଇଥିଲା ହେଲେ ଏପର୍ଯ୍ୟନ୍ତ ପୋଲିସ ସେମାନଙ୍କୁ ଗିରଫ୍ ନକରି ସେମାନଙ୍କ ବୁଦ୍ଧିରେ ପରିଚାଳିତ ହେଉଛନ୍ତି ବୋଲି ଆରୋପ କରିଛନ୍ତି ।

