ଇରାନକୁ ନେଇ ଆମେରିକାର ଆଭିମୁଖ୍ୟରେ ବଡ଼ ପରିବର୍ତ୍ତନର ସଙ୍କେତ । ଇରାନରେ ଆମେରିକାର ସାମରିକ ଅଭିଯାନ ପ୍ରାୟତଃ ଶେଷ ହୋଇସାରିଥିବା ନେଇ ମନ୍ତବ୍ୟ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କାଲି ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ଟ୍ରମ୍ପ କହିଛନ୍ତି, ସାମରିକ ଦୃଷ୍ଟିକୋଣରୁ ଇରାନ ପ୍ରାୟତଃ ଶେଷ ହୋଇଯାଇଛି ।
ବର୍ତ୍ତମାନ ଆମେରିକା କେବଳ ପୂର୍ବ ସ୍ଥିତି ବଜାୟ ରଖୁଛି । ଟ୍ରମ୍ପଙ୍କ ଏହି ବୟାନ ପରେ ଇରାନ ବିରୋଧରେ ଆମେରିକା ଆଉ କୌଣସି ବଡ଼ଧରଣର ସାମରିକ ଅଭିଯାନ ଚଳାଇବା ସମ୍ଭାବନା କମ୍ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଭବିଷ୍ୟତରେ ସମସ୍ତ ପ୍ରକାର ଆକ୍ରମଣ ବନ୍ଦ ହେବ ବୋଲି ଟ୍ରମ୍ପ ସ୍ପଷ୍ଟ ଘୋଷଣା କରିନାହାନ୍ତି । ଚଳିତ ବର୍ଷ ଜୁଲାଇ ମାସରୁ ଆମେରିକା ଇରାନ ବିରୋଧରେ ନିଜର ଅଭିଯାନକୁ ମୁଖ୍ୟତଃ ଆର୍ଥିକ କଟକଣା, ନୌସେନା ଅବରୋଧ ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ଲକ୍ଷ୍ୟଭିତ୍ତିକ ଆକ୍ରମଣ ମଧ୍ୟରେ ସୀମିତ ରଖିଛି । ଏବେ ଏହି ନୀତି ଜାରି ରହିବ ବୋଲି ଟ୍ରମ୍ପ ସଙ୍କେତ ଦେଇଛନ୍ତି ।
ଅନ୍ୟପଟେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପୂର୍ବରୁ କତାର ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦଙ୍କ ସହ ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ଦୃଷ୍ଟିରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଗତ ସପ୍ତାହରେ କତାର ମାଧ୍ୟମରେ ଆମେରିକାକୁ ଏକ ନୂଆ ପରମାଣୁ ପ୍ରସ୍ତାବ ପଠାଇଥିଲା ଇରାନ । ତେବେ ଏହି ପ୍ରସ୍ତାବ ସହ ତେହେରାନ ସାତଟି ସର୍ତ୍ତ ରଖିଥିବା କୁହାଯାଉଛି । ଆମେରିକା ଏହି ସର୍ତ୍ତଗୁଡ଼ିକ ପୂରଣ କଲେ ହିଁ ଆଲୋଚନା ଆଗକୁ ବଢ଼ିପାରିବ ବୋଲି ଇରାନର ଆଭିମୁଖ୍ୟ ରହିଛି ।
କତାର ସହ ପାକିସ୍ତାନ ମଧ୍ୟ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରୁଛି । ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟକା ଲାଗିବା ପରେ ଏହି ବୟାନ ସାମ୍ନାକୁ ଆସିଛି । ନିର୍ବାଚନ ଫଳାଫଳ ପରେ ଇରାନ ପ୍ରସଙ୍ଗରେ ଟ୍ରମ୍ପଙ୍କ ଏହା ଅନ୍ୟତମ ସ୍ପଷ୍ଟ ମନ୍ତବ୍ୟ ବୋଲି କୁହାଯାଉଛି । ଏବେ ସମସ୍ତଙ୍କ ନଜର ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା ଉପରେ ।

