ଆବେଗ ପାଇଁ କୌଣସି ସ୍ଥାନ ନାହିଁ। ଶେଖ୍ ହାସିନାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ବାଂଲାଦେଶରୁ ବିତାଡିତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ପ୍ରତ୍ୟର୍ପଣ ପାଇଁ ଦାବି ଜଣାଇଛନ୍ତି ବାଂଲାଦେଶ ଆଇନ ମନ୍ତ୍ରୀ ମହମ୍ମଦ ଆସାଦୁଜ୍ଜାମାନ। ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଆଇନ ମନ୍ତ୍ରୀ କହିଛନ୍ତି ବାଂଲାଦେଶର ଆଇନ ବ୍ୟବସ୍ଥା ଅନୁଯାୟୀ ଶେଖ୍ ହସିନା ଜଣେ ଦଣ୍ଡ ପାଇଥିବା ଅପରାଧୀ। ସେ ରାଜନୈତିକ ନିର୍ବାସିତ ନେତ୍ରୀ ନୁହନ୍ତି।
ଭାରତ ଓ ବାଂଲାଦେଶ ମଧ୍ୟରେ ୨୦୧୩ରେ ସ୍ୱାକ୍ଷରିତ ହୋଇଥିବା ଦ୍ୱିପାକ୍ଷିକ ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ ତାଙ୍କୁ ଫେରାଇ ଅଣାଯିବ। ହସିନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ରୂପେ ସାମ୍ବିଧାନିକ। ହସିନାଙ୍କୁ ପ୍ରତ୍ୟର୍ପଣ ପାଇଁ ଯେଉଁ ଆଇନଗତ ପଦକ୍ଷେପ ଆବଶ୍ୟକ, ତାହା ଆମେ ବିଚାର ବିଭାଗୀୟ ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟକାରୀ କରୁଛୁ। ଏହି ପ୍ରକ୍ରିୟାରେ କୌଣସି ବ୍ୟକ୍ତିଗତ କ୍ରୋଧ, ଦୟା କିମ୍ବା ଆବେଗର ପ୍ରଶ୍ନ ଉଠୁନାହିଁ। ଆଇନର ଶାସନ ପ୍ରତିଷ୍ଠା କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବାଂଲାଦେଶ ଆଇନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
୨୦୨୪ ଛାତ୍ର ଆନ୍ଦୋଳନ ପରେ ଭାରତରେ ଆଶ୍ରୟ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆନ୍ଦୋଳନ ସମୟରେ ହୋଇଥିବା ମାନବିକତା ବିରୋଧୀ ଅପରାଧ ପାଇଁ ଟ୍ରିବ୍ୟୁନାଲ୍ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଭାରତ ସରକାର ବାଂଲାଦେଶର ପ୍ରତ୍ୟାର୍ପଣ ଅନୁରୋଧ ପାଇଥିବା ସ୍ୱୀକାର କରିଥିଲେ ବି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ସେପଟେ ଦେଶକୁ ଫେରିଲେ ହାସିନାଙ୍କୁ ଗିରଫ କରାଯିବା ଏବଂ ମୃତ୍ୟୁ ଦଣ୍ଡ ମିଳିବାର ଆଶଙ୍କା ଥିଲେ ବି ଡିସେମ୍ବରରେ ବାଂଲାଦେଶ ଫେରିବାକୁ ଘୋଷଣା କରିଛନ୍ତି ହାସିନା।

