ତିହିଡି, ୦୭.୧୧: ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧିନ ହରିପୁର ଗାଁର ନିଖୋଜ ହୋଇଥିବା ୧୯ ବର୍ଷିୟ ଯୁବତୀ ପୂଜାରାଣି ବାରିକ ମୃତ କି ଜୀବନି ତାହା ସଂପ୍ରତି ଅସ୍ପଷ୍ଟ । ୧୧ ଦିନ ପରେ ବି ପୋଲିସର ହାତ ଖାଲି । ସପ୍ତାହେ ତଳେ ମନ୍ତେଇ ନଈ ବାଲିଆପାଳ ଫେରିଘାଟ ନିକଟରେ ତାଙ୍କ ଶବ ଭାସୁଥିବାର ପରିବାର ଲୋକେ ଦାବୀ କରିଥିଲେ ।

ଯାହାକୁ ନେଇ ପ୍ରଥମେ ଅଗ୍ନିଶମ ପରେ ଓଡ୍ରାପ୍ଟ ଟିମ୍ ମନ୍ତେଇ ନଈରେ ପଇଁତରା ମାରିଥିଲେ ମଧ୍ୟ ଶବ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ପରେ ପୋଲିସ ତତ୍ପରତା ପ୍ରଦର୍ଶନ କରି ଏସପିଙ୍କ ସହଯୋଗ ଲୋଡିଥିଲେ ଏବଂ ଶନିବାର ଯାଜପୁରରୁ ଏକ ସ୍ୱତନ୍ତ୍ର ଓଡ୍ରାପ୍ଟ ଟିମ୍ ଆସି ଚାରିବାଟିଆ ଫେରିଘାଟରୁ ବାଂଶଡା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ତଥାପି ପୋଲିସ ହାର ମାନି ନାହିଁ । ଶବ ନମିଳିଲେ ଯଦି କଙ୍କାଳ ମିଳେ ତା’ର ଫୋରେନ୍ସିକ୍/ଡିଏନଏ ଟେଷ୍ଟ କରାଯାଇ ସ୍ପଷ୍ଟ ହୋଇ ପାରିନ୍ତା ବୋଲି ଆଶା ବାନ୍ଧିଛି । ଶବ ହେଉ ଅଥବା କଙ୍କାଳ ମିଳିଲେ ପୋଲିସକୁ ସୂଚନା ଦେବାଲାଗି ନଈ କୂଳିଆବାସୀଙ୍କୁ ନିବେଦନ କରିଥିବା ଆଇଆଇସି ରୋଜାଲିନ୍ ବେହେରା ଆମ୍ଭ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଅନ୍ୟପଟେ ପୂଜାରାଣି ଜୀବିତ କି ମୃତ ତାହାର ପ୍ରମାଣ ଖୋଜୁଛନ୍ତି ପରିବାର ଲୋକେ । ଆଖିରୁ ଲୁହ ଶୁଖୁନାହିଁ ଆଉ କାନ୍ଦ ବୋବାଳିରେ ଫାଟି ପଡୁଛି ଘର ଏବଂ ଏଭଳି ଆଉ କେତେଦିନ ଅପେକ୍ଷା କରିବେ ବୋଲି ପୋଲିସକୁ ଆପତ୍ତି କରି ଆସୁଛନ୍ତି । ସୂଚନା ମୁତାବକ, ଏହି ଥାନାଧିନ ଗୋକୁଳପୁର ଗାଁର ଭୁବନମୋହନ ବାରିକଙ୍କ ଝିଅ ପୂଜାରାଣି ବିଗତ ୧୧ ବର୍ଷ ହେଲା ହରିପୁର ଗାଁର ନିଜ ପିଉସୀ ବାସନ୍ତୀ ମହାନ୍ତିଙ୍କ ଘରେ ରହି ପାଠ ପଢୁଥିଲେ । ଚଳିତ ବର୍ଷ ସେ ବିଏସି ନସିଂର ଛାତ୍ରୀ । ଗତ ୨୭.୧୦.୨୬ରିଖ ରାତିରେ ବାସନ୍ତୀ ଓ ପୂଜାରାଣୀ ଖାଇ ସାରିବା ପରେ ଶୋଇଥିଲେ । ରାତି ପ୍ରାୟ ୧ ଘଟିକା ସମୟରେ ବାସନ୍ତୀ ଦେଖନ୍ତି ତ ପୂଜାରାଣି ସେଠାରେ ନାହିଁ । ବାଡିଘର ସମେତ ଗାଁ ସାରା ଖୋଜିବା ପରେ କୌଣସି ସନ୍ଧାନ ମିଳି ନଥିଲା । ଏନେଇ ଗତ ୨୮ ତାରିଖ ସଂଧ୍ୟାରେ ସେ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏକ ମିସିଂ କେସ ରୁଜୁ କରି ତଦନ୍ତ ଚଳାଇ ଆସୁଥିଲା । ତେବେ ଗତ ୨୯ ତାରିଖ ସକାଳ ପ୍ରାୟ ୧ ଘଟିକା ସମୟରେ ମନ୍ତେଇ ନଈ ବାଲିଆପାଳ ଫେରିଘାଟ ନିକଟରେ ଜଣେ ଯୁବତୀଙ୍କ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖି ଘଣ୍ଟେଶ୍ୱର ଫାଣ୍ଡିକୁ ଜଣାଇଥିଲେ । ସେତେବେଳେ ପୋଲିସ କର୍ଣ୍ଣପାତ କରିନଥିଲା । ତେବେ ସୁଟିଂ ହୋଇଥିବା ଶବର ଭିଡିଓରୁ ପୂଜାରାଣୀ ବୋଲି ୩୦ ତାରିଖ ସକାଳେ ତାଙ୍କ ପରିବାର ଓ ସମ୍ପର୍କୀୟମାନେ ଅବଗତ ହୋଇଥିଲେ ଏବଂ ତତ୍କ୍ଷଣାତ ସେମାନେ ପୋଲିସ ସହାୟତା ୧୧୨କୁ ଜଣାଇଥିଲେ । ପରେ ଗଦି ଦମକଳ ବାହିନୀ ସମେତ ପୀରହାଟ ଓ ଘଣ୍ଟେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ଖୋଜାଖୋଜି କରିଥିଲେ ହେଲେ କୌଣସି ସନ୍ଧାନ ମିଳିନଥିଲା । ପରେ ଓଡ୍ରାପ୍ଟ ଟିମ୍ ମଧ୍ୟ ଖୋଜାଖୋଜି କରି ବିଫଳ ମଧ୍ୟ ହୋଇଥିଲା । ଏହାପରେ ଚାରିବାଟିଆ ଫେରିଘାଟ ନିକଟରେ ପୂଜାରାଣି ପିନ୍ଧିଥିବା ଚପଲ ଉଦ୍ଧାର ହୋଇଥିଲା । ଏହାକୁ ନେଇ ସମସ୍ତଙ୍କ ମନରେ ନାନାଦି ସନ୍ଦେହ ଦେଖା ଦେଇଥିଲା । ଅନ୍ୟପଟେ ବାହାର ରାଜ୍ୟରେ କାମଧନ୍ଦା କରୁଥିବା ପୂଜାରାଣିଙ୍କ ବାପା ଘରକୁ ଆସି ଝିଅର ଏପରି କଥା ଶୁଣି ଭାଙ୍ଗି ପଡିଛନ୍ତି । ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ ତାଙ୍କ ଝିଅକୁ ବିଭିନ୍ନ ସମୟରେ ମୋବାଇଲରେ ମେସେଜ୍ ଦେଇ ହଇରାଣ ହରକତ କରି ଆସୁଥିଲେ ଏବଂ ନିଖୋଜ ହୋଇଥିବା ରାତିରେ ସେ ଅପହରଣ କରି ଜୀବନରୁ ମାରିଦେଇ ମନ୍ତେଇ ନଈରେ ଫିଙ୍ଗି ଦେଇଥିବା ସନ୍ଦେହ କରିଛନ୍ତି ଏବଂ ଏନେଇ ସେ ଥାନାରେ ଏକ ଏତଲା ମଧ୍ୟ ଦାଏର କରିଛନ୍ତି । ତେବେ ଶବ କି କଙ୍କାଳ ନିମିଳିବା ପର୍ଯ୍ୟନ୍ତ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରି ପାରୁନଥିବା ମଧ୍ୟ ଜଣା ଯାଇଛି । ଏପରି ସ୍ଥଳେ ପୂଜାରାଣି ଜୀବିତ କି ମୃତ ତାହା ପୋଲିସର ସ୍ପଷ୍ଟିକରଣକୁ ସମସ୍ତେ ଅନେଇ ବସିଛନ୍ତି ।
ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ।

