ରାଜ୍ୟ

ଉତ୍ତର-ପୂର୍ବାଞ୍ଚଳରେ ବିକାଶର ସୂର୍ଯ୍ୟୋଦୟ

Spread the love

‘‘ପୂର୍ବରୁ ଉତ୍ତର-ପୂର୍ବାଞ୍ଚଳକୁ ଫ୍ରଣ୍ଟିଅର୍‌ (ସୀମାବର୍ତ୍ତୀ) କ୍ଷେତ୍ର କୁହାଯାଉଥିଲା। କିନ୍ତୁ ଆଜି ଏହି ଅଞ୍ଚଳ ଫ୍ରଣ୍ଟ-ରନର୍‌ ଅଫ୍‌ ଗ୍ରୋଥ୍’ ବା ବିକାଶରେ ଅଗ୍ରଣୀ ହୋଇପାରିଛି।’’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଉକ୍ତି ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଉତ୍ତର-ପୂର୍ବାଞ୍ଚଳରେ ହୋଇଥିବା ଅଭୂତପୂର୍ବ ପ୍ରଗତିର ପ୍ରମାଣ ଦେଉଛି।
ଅନେକ ଦଶନ୍ଧି ଧରି ଅବହେଳିତ ହୋଇ ରହିଥିବା ଭାରତର ଉତ୍ତର-ପୂର୍ବାଞ୍ଚଳରେ ଗତ ଦଶନ୍ଧିରେ ବିକାଶର ନୂତନ ସୂର୍ଯ୍ୟୋଦୟ ହୋଇଛି। ରେଳବାଇ, ରାଜପଥ, ବିମାନ ସଂଯୋଗ ଏବଂ ଡିଜିଟାଲ୍ ଭିତ୍ତିଭୂମିରେ ଅଭୂତପୂର୍ବ ନିବେଶ ଏହି ଅଞ୍ଚଳର ଆଠଟି ରାଜ୍ୟରେ ବିକାଶକୁ ତ୍ୱରାନ୍ୱିତ କରିଛି। ଉତ୍ତର-ପୂର୍ବାଞ୍ଚଳରେ ସମାବେଶୀ ବିକାଶକୁ ଆଗକୁ ବଢ଼ାଇବା ଲାଗି କେନ୍ଦ୍ର ସରକାର ଆକ୍ଟ ଇଷ୍ଟ ନୀତି ଅନ୍ତର୍ଗତ ଏକାଧିକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ଏହି ଅଞ୍ଚଳର ସନ୍ତୁଳିତ ବିକାଶ ସୁନିଶ୍ଚିତ ହେବା ସହିତ ଦକ୍ଷିଣପୂର୍ବ ଏସିଆ ସହ ଭାରତର ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଉତ୍ତର-ପୂର୍ବାଞ୍ଚଳ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶମାର୍ଗ ପାଲଟିଛି।
ରେଳ ମନ୍ତ୍ରଣାଳୟ ଉତ୍ତର-ପୂର୍ବାଞ୍ଚଳରେ ବିକାଶଧାରାର ନେତୃତ୍ୱ ନେଉଛି । 2014 ପରଠାରୁ ଏହି ଅଞ୍ଚଳ ପାଇଁ ରେଳ ବଜେଟ୍‌ ଆବଣ୍ଟନ ପରିମାଣ 5ଗୁଣ ବୃଦ୍ଧି ପାଇଛି। ଏହି କ୍ଷେତ୍ର ପାଇଁ ମୋଟ୍ 62,477 କୋଟି ଟଙ୍କାର ବଜେଟ୍‌ ଆବଣ୍ଟନ କରାଯାଇଥିବା ବେଳେ ଏଥିରେ ଚଳିତ ବର୍ଷର 10,440 କୋଟି ଟଙ୍କା ସାମିଲ ରହିଛି । ବର୍ତ୍ତମାନ ଉତ୍ତର-ପୂର୍ବାଞ୍ଚଳରେ 77,000 କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମିଜୋରାମର ବୈରାବି-ସାଇରାଙ୍ଗ ରେଳ ଲାଇନକୁ ଉଦଘାଟନ କରିବାକୁ ଯାଉଛନ୍ତି। 8ହଜାର କୋଟି ଟଙ୍କାରେ ନିର୍ମିତ ଏହି ରେଳ ପ୍ରକଳ୍ପ ଦ୍ୱାରା ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆଇଜଲ ଜାତୀୟ ରେଳ ନେଟୱର୍କ ସହ ଯୋଡ଼ି ହେବ। ଏହି ରେଳ ଲାଇନରେ ମୋଟ୍‌ 143ଟି ସେତୁ ଏବଂ 45ଟି ସୁଡ଼ଙ୍ଗ ରହିଛି । ପ୍ରଧାନମନ୍ତ୍ରୀ ସାଇରଙ୍ଗରୁ ଦିଲ୍ଲୀ (ରାଜଧାନୀ ଏକ୍ସପ୍ରେସ), କୋଲକାତା (ମିଜୋରାମ ଏକ୍ସପ୍ରେସ) ଏବଂ ଗୌହାଟୀ (ଆଇଜୱାଲ ଇଣ୍ଟରସିଟି) ପର୍ଯ୍ୟନ୍ତ ତିନୋଟି ନୂତନ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ଦେଶର ବିକାଶ ଯାତ୍ରାରେ ମିଜୋରାମକୁ ଦୃଢ଼ ସହଭାଗୀ କରିବ। ଶ୍ରୀ ମୋଦୀ ମିଜୋରାମ ଠାରେ ଏକାଧିକ ସଡ଼କ ଓ ସେତୁ ପ୍ରକଳ୍ପ ପାଇଁ ମଧ୍ୟ ଶିଳାନ୍ୟାସ କରିବେ।
ପ୍ରଧାନମନ୍ତ୍ରୀ ମଣିପୁରରେ ଚୁରାଚାନ୍ଦପୁରରେ 7,300 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହା ସହିତ, ପ୍ରଧାନମନ୍ତ୍ରୀ ଆସାମରେ 18,530 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରମୁଖ ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। 2022-23 ଆର୍ଥିକ ବର୍ଷ ଠାରୁ, ଭବିଷ୍ୟତର ସମ୍ପ୍ରସାରଣ କରିଡର ଚିହ୍ନଟ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ 1,790 କିଲୋମିଟର ଦୀର୍ଘ 17ଟି ନୂତନ ରେଳ ସର୍ଭେକୁ ଅନୁମୋଦନ କରାଯାଇଛି। ସେହିପରି କେନ୍ଦ୍ର ସରକାର ଉତ୍ତର ପୂର୍ବାଞ୍ଚଳରେ 16,207 କିଲୋମିଟର ଲମ୍ବା ଜାତୀୟ ରାଜପଥ ନିର୍ମାଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ) ଅଧୀନରେ, ଉତ୍ତର ପୂର୍ବାଞ୍ଚଳରେ 89,436 କିଲୋମିଟର ରାସ୍ତା ଏବଂ 2,398 ସେତୁ ସହିତ 17,637 ରାସ୍ତା ପ୍ରକଳ୍ପ କାର୍ଯ୍ୟକୁ ମଞ୍ଜୁର କରାଯାଇଛି। ଏଥିମଧ୍ୟରୁ 80,933 କିଲୋମିଟର ଏବଂ 2,108 ସେତୁ ସହିତ 16,469 ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି, ଯାହା ଦୂରଦୂରାନ୍ତ ଏବଂ ଗ୍ରାମାଞ୍ଚଳରେ ଶେଷ ମାଇଲ ସଡ଼କ ସଂଯୋଗୀକରଣରେ ଉଲ୍ଲେଖନୀୟ ଉନ୍ନତି ଆଣିଛି।
ଗତ ଏକ ଦଶନ୍ଧି ମଧ୍ୟରେ ଉତ୍ତରପୂର୍ବାଞ୍ଚଳର 6,355 ଗ୍ରାମ ପଞ୍ଚାୟତରେ ଡିଜିଟାଲ ଯୋଗାଯୋଗ ସୁବିଧା ପହଞ୍ଚିବା ସହିତ 3,297 ମୋବାଇଲ ଟାୱାର ସଂଯୋଗ କରାଯାଇଛି। ଉଡ଼ାନ ଯୋଜନାରେ ଉତ୍ତର-ପୂର୍ବାଞ୍ଚଳରେ 90ଟି ବିମାନ ମାର୍ଗ କାର୍ଯ୍ୟକ୍ଷମ ହୋଇଥିବା ବେଳେ 12ଟି ବିମାନ ବନ୍ଦର ଏବଂ ହେଲିପୋର୍ଟ ପ୍ରତିଷ୍ଠା କରାଯାଇଛି। ଉତ୍ତର-ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରଣାଳୟ ଆଠଟି ଉତ୍ତର-ପୂର୍ବ ରାଜ୍ୟକୁ ଭିତ୍ତିଭୂମି, ସଂଯୋଗୀକରଣ ଏବଂ ଯୋଗାଯୋଗ ସହିତ ଜଡିତ ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ସମର୍ଥନ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି। ‘ଉତ୍ତର-ପୂର୍ବ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀଙ୍କ ବିକାଶ ପଦକ୍ଷେପ’ (ପିଏମ-ଡିଭାଇନ) ହେଉଛି ଏକ 100% କେନ୍ଦ୍ରୀୟ ପାଣ୍ଠି ବିଶିଷ୍ଟ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଯାହାକୁ 2022-23 କେନ୍ଦ୍ରୀୟ ବଜେଟରେ ଘୋଷଣା କରାଯାଇଥିଲା। ଏହି ଯୋଜନାରେ 2022-23 ରୁ 2025-26 ପର୍ଯ୍ୟନ୍ତ ଚାରି ବର୍ଷର ଅବଧି ପାଇଁ ମୋଟ 6,600 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ଗତିଶକ୍ତି ଢାଞ୍ଚା ସହିତ ସମନ୍ୱିତ ଭାବରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପାଣ୍ଠି ଯୋଗାଇବା, ଅଞ୍ଚଳର ନିର୍ଦ୍ଦିଷ୍ଟ ଆବଶ୍ୟକତା ଉପରେ ଆଧାରିତ ସାମାଜିକ ବିକାଶ ପଦକ୍ଷେପଗୁଡ଼ିକୁ ସମର୍ଥନ କରିବା, ଯୁବପିଢ଼ି ଓ ମହିଳାମାନଙ୍କ ପାଇଁ ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି କରିବା ଏବଂ ଉତ୍ତର-ପୂର୍ବାଞ୍ଚଳର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟବଧାନକୁ ଦୂର କରିବା।
ସେହିପରି ଉତ୍ତର-ପୂର୍ବାଞ୍ଚଳ ସ୍ବତନ୍ତ୍ର ଭିତ୍ତିଭୂମି ବିକାଶ ଯୋଜନାରେ 462.21 କୋଟି ଟଙ୍କାର 29ଟି ପ୍ରକଳ୍ପ ମଞ୍ଜୁର ହୋଇଛି । ଉତ୍ତର ପୂର୍ବାଞ୍ଚଳ ପରିଷଦ ଅଧୀନରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇ ଜୀବିକା ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦିଆଯାଉଛି । ଆସାମ ଏବଂ ତ୍ରିପୁରା ପାଇଁ କେନ୍ଦ୍ର ସରକାର ଯଥାକ୍ରମେ 4 ହଜାର ଏବଂ 250 କୋଟି ଟଙ୍କାର ସ୍ୱତନ୍ତ୍ର ବିକାଶମୂଳକ ସହାୟତା ଘୋଷଣା କରିଛନ୍ତି । ଏସବୁ ପଦକ୍ଷେପ ଉତ୍ତର-ପୂର୍ବାଞ୍ଚଳରେ ନିବେଶ, ନିଯୁକ୍ତି ଏବଂ ବିକାଶଧାରାକୁ ତ୍ୱରାନ୍ୱିତ କରୁଛି । ଫଳରେ ଉତ୍ତର ପୂର୍ବାଞ୍ଚଳ ଏବେ ଆଉ ଭାରତର ବିକାଶ ଯାତ୍ରାରେ ପଛୁଆ ଅଞ୍ଚଳ ହୋଇ ରହିନାହିଁ ବରଂ ଏହା ବିକଶିତ ଭାରତର ଏକ ପ୍ରମୁଖ ବାହକ ରୂପେ ଉଭା ହୋଇଛି। ଏହି ଅଞ୍ଚଳର ପ୍ରତ୍ୟେକ ପର୍ବତ, ଉପତ୍ୟାକା, ଗ୍ରାମ ଦେଶର ସହଭାଗୀ ଭବିଷ୍ୟତର ଅଂଶବିଶେଷ ପାଲଟିଛି ।

Leave a Reply

Your email address will not be published. Required fields are marked *