ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ଥାନା ଅଧୀନ ସିନାପାଲି ନିକଟସ୍ଥ ଭାଣ୍ଡାର ନଦୀ ପୋଲ ନିକଟରେ ହାଇୱା ଟିପର ଧକ୍କାରେ ଜଣେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଝରିଗାଁ ଥାନା ଭାଲୁକାନାଡି ପଞ୍ଚାୟତ ଅନ୍ତର୍ଗତ କନ୍ଧଗୁଡ଼ା ଗ୍ରାମର ୨୩ ବର୍ଷୀୟ କୈଳାସ ଭୋଇ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଶତାଧିକ ଗ୍ରାମବାସୀ ଓ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।
ସୂଚନା ଅନୁଯାୟୀ, କୈଳାସ ଭୋଇ ନିଜ ସମ୍ପର୍କୀୟ ମାମୁଙ୍କ ଘର ଫଟାମୁଣ୍ଡା ଗାଁକୁ ନିଜ ବାଇକ ଯୋଗେ ଯାଉଥିଲେ। ଏହି ସମୟରେ ସିନାପାଲି ଭାଣ୍ଡାର ନଦୀ ପୋଲ ନିକଟରେ ବିପରୀତ ଦିଗରୁ ଚିପ୍ସ ବୋଝେଇ କରି ଆସୁଥିବା ଏକ ହାଇୱା ଟିପର ବାଇକକୁ ସାମ୍ନାରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବାଇକଟି କ୍ଷତିଗ୍ରସ୍ତ ହେବା ସହ କୈଳାସ ରାସ୍ତାରେ ଛିଟିକି ପଡ଼ିଥିଲେ। ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ଘଟାଇଥିବା ହାଇୱା ଟିପରର ନମ୍ବର OD 08 AC 7712 ବୋଲି ଜଣାପଡ଼ିଛି। ସେହିପରି ମୃତକ କୈଳାସ ଭୋଇ ଚଳାଉଥିବା ବାଇକର ନମ୍ବର OD 24 M 7013। ଦୁର୍ଘଟଣା ପରେ ହାଇୱା ଚାଳକ ଗାଡ଼ିଟିକୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ମୃତକଙ୍କ ପରିବାରବର୍ଗଙ୍କ ସମେତ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। କ୍ଷତିପୂରଣ ଦାବିରେ ମୃତଦେହକୁ ରାସ୍ତାରେ ରଖି ଚାନ୍ଦାହାଣ୍ଡି-ଧର୍ମଗଡ଼ ଏବଂ ଉମରକୋଟ-ମାଲଗାଁ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ଉଭୟ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଥିଲା। ଶବ ଉଦ୍ଧାର ପାଇଁ ପହଞ୍ଚିଥିବା ପୋଲିସ ଓ ଅଗ୍ନିଶମ ବାହିନୀର ଗାଡ଼ିକୁ ମଧ୍ୟ ଲୋକେ ଅଟକ ରଖିଥିବା ଜଣାପଡ଼ିଛି।
ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରାଯାଉଛି। ଏଥିସହ ଦୁର୍ଘଟଣାର ପ୍ରକୃତ କାରଣ ଏବଂ ହାଇୱା ଚାଳକଙ୍କ ଫେରାର ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

