ତିହିଡି, ୦୫.୧୦: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ କାଁପଡ଼ାସ୍ଥିତ ମା’ ବାସୁଳୀ ହାଇସ୍କୁଲ ନିକଟରେ ନିର୍ମିତ ହେବ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀ ନିବାସ । ଏଥିଲାଗି ସ୍ଥାନ ନିରୂପଣ କାର୍ଯ୍ୟ ଶେଷ ହୋଇଛି । ଖୁବ୍ ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଅଧିନ ସମଗ୍ର ଶିକ୍ଷା ଅଭିଯାନ ମାଧ୍ୟମରେ ଏବଂ ପ୍ରାୟ ୯ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଛାତ୍ରୀ ନିବାସ ନିର୍ମାଣ କରାଯିବ । ତେବେ ଛାତ୍ରୀ ନିବାସ ନିର୍ମାଣ ଲାଗି ପ୍ରଥମ ପର୍ଯ୍ୟାୟରେ ୨.୫୦ କୋଟି ଅନୁଦାନ ଯୋଗାଇ ଦିଆ ଯାଇଛି । ଏହି ଛାତ୍ରୀ ନିବାସରେ ତଫସିଲ ଭୁକ୍ତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ସମ୍ପ୍ରଦାୟ ସମେତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଷଷ୍ଠରୁ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରୀମାନେ ରହିବା ସହିତ ସ୍ଥାନୀୟ ମା\’ ବାସୁଳୀ ହାଇସ୍କୁଲରେ ଅଧ୍ୟୟନ କରିବେ । ଏଠାରେ ରହୁଥିବା ଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରହିବା, ଖାଇବା, ପୋଷାକ (ୟୁନିଫର୍ମ), ପାଠ୍ୟପୁସ୍ତକ ତଥା ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦିଆଯିବ । କେବଳ ପାଠ୍ୟପୁସ୍ତକ ଶିକ୍ଷା ନୁହେଁ ବରଂ ବାଳିକାମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏଠାରେ ବିଭିନ୍ନ ପ୍ରକାର ସହ-ପାଠ୍ୟକ୍ରମ କାର୍ଯ୍ୟକ୍ରମ ଯଥା- କମ୍ପ୍ୟୁଟର ଶିକ୍ଷା, ସିଲେଇ, ହସ୍ତଶିଳ୍ପ, ସଙ୍ଗୀତ, ନୃତ୍ୟ ଏବଂ ଆତ୍ମରକ୍ଷା ପାଇଁ କରାଟେ ବା ସାମରିକ କଳା ଶିକ୍ଷା ଦିଆ ଯିବାର ବ୍ୟବସ୍ଥା ରହିଛି । ଜିଲ୍ଲା ସର୍ବଶିକ୍ଷା ଅଭିଯାନର ବାଳିକା ଶିକ୍ଷା ସଂଯୋଜିକା ଇପ୍ସିତା ଜେନା ଓ କନିଷ୍ଠ ଯନ୍ତ୍ରୀ ଭରତ ଚନ୍ଦ୍ର ବିଶ୍ୱାଳ କ୍ଷେତ୍ର ପରିଦର୍ଶନରେ ଯାଇ ସ୍ଥାନ ନିରୂପଣ କରିଥିବା ବେଳେ ହାଇସ୍କୁଲର ପ୍ରଧାନଶିକ୍ଷକ ବୁଦ୍ଧେଶ୍ୱର ମାରାଣ୍ଡି, ସହକାରୀ ଶିକ୍ଷକ କାହ୍ନୁଚରଣ ଦାସ, ମା\’ ବାସୁଳୀ କମିଟିର ସଭାପତି ଇନ୍ଦ୍ରମଣି ଦାସ, ସମାଜସେବୀ ଶରତ କୁମାର ଦାସ, ସ୍କୁଲ ପରିଚାଳନା କମିଟି ସଭାପତି ଦେବାଶିଷ ଦାସ, ରାଜେନ୍ଦ୍ର ଦାସ, ବାସୁଦେବ ଦାସ, ଆଶିଷ ଦାସ ଓ ରମାକାନ୍ତ ମଳିକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ଏହି ଛାତ୍ରୀ ନିବାସ ଲାଗି ନିର୍ମାଣ ନିଷ୍ପତି ନିଆଯିବା ଓ ଏଥିଲାଗି କେନ୍ଦ୍ରୀୟ ଅନୁଦାନ ଯୋଗାଇ ଦିଆ ଯାଇଥିବାରୁ କାଁପଡ଼ା ପଞ୍ଚାୟତବାସୀଙ୍କ ପକ୍ଷରୁ ପ୍ରାକ୍ତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

