ତିହିଡି, ୦୫.୧୦: ରାଜ୍ୟ ସରକାରଙ୍କ ନିଆରା କାର୍ଯ୍ୟକ୍ରମ “ଆମ ଗାଁରେ ଆମ ତହସିଲ” । କୌଣସି କାର୍ଯ୍ୟରେ ଅନ୍ଲାଇନ୍ରେ ଆବେଦନ କରିବା ପରେ ମଧ୍ୟ ପ୍ରମାଣ ପତ୍ର ପାଇବାରେ ନିର୍ଦ୍ଧାରିତ ସମୟ ଠାରୁ ଅଧିନ ଦିନ ଅପେକ୍ଷା କରିବାକୁ ପଡିଥାଏ । ମାତ୍ର ଏହି କାର୍ଯ୍ୟକ୍ରମରେ ଆବେଦନକାରୀଙ୍କୁ ଆଉ ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେବାକୁ ପଡିବ ନାହିଁ କି କୌଣସି କାହାରିକୁ ହାତଗୁଞ୍ଜା ଦେବାକୁ ପଡିବ ନାହିଁ । କେତେକ ସମୟରେ କର୍ମଚାରୀମାନଙ୍କ ଟାଳଟୁଳୁ ନୀତି ଯୋଗୁଁ ଲୋକେ ନାନାଦି ସମସ୍ୟାରେ ପଡୁଥିଲେ । ଏହାର ଆଶୁଃ ସମାଧାନ ସ୍ୱରୂପ ଏହି “ଆମ ଗାଁରେ ଆମ ତହସିଲ” କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଛି । ତିହିଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ ତହସିଲଦାର ସୌମ୍ୟରଞ୍ଜନ ଜେନାଙ୍କ ଉଦ୍ୟମ ତଥା ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଲଣା ଆରଆଇ ସର୍କଲ ଅଧିନ ତଳଗୋପବିନ୍ଧା ଗ୍ରାମରେ ସୋମବାର ପୂର୍ବାହ୍ନରେ ଏହାର ଶୁଭାରମ୍ଭ କରା ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୨୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଜାତି, ବାସିନ୍ଦା ଓ ଆୟ ପ୍ରମାଣପତ୍ର ସମ୍ବନ୍ଧୀୟ ଆବେଦନଗୁଡ଼ିକୁ ଘଟଣା ସ୍ଥଳରେ ହିଁ ମଞ୍ଜୁର କରା ଯାଇଥିଲା ଯାହାଦ୍ୱାରା ଜନସାଧାରଣଙ୍କ ଦ୍ୱାର ଦେଶରେ ଦୃତ, ସହଜ ଓ ସୁଲଭ ରାଜସ୍ୱ ସେବା ପହଞ୍ଚାଇବା ସୁନିଶ୍ଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତଳଗୋପବିନ୍ଧା ପଞ୍ଚାୟତର ସରପଞ୍ଚ ସଞ୍ଜିବ ବେହେରା ପ୍ରଶାସନର ଏତାଦୃଶ କାର୍ଯ୍ୟକ୍ରମକୁ ସାଧୁବାଦ ଦେଇଥିବା ବେଳେ ବିଲଣା ଆରଆଇ ଶରତ ଜେନା ପରିଚାଳନାରେ ସହଯୋଗ କରିଥିଲେ ।

