ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ବିୟୋଗରେ କିଟ କିସ ଓ କିମସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଘୋର ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଅକ୍ଟୋବର ୧୯ ତାରିଖରେ ୫୪ ବର୍ଷ ବୟସରେ ସ୍ବର୍ଗତ ପତିଙ୍କ ଅକାଳ ବିୟୋଗ ଘଟିଥିଲା । ନିଜ ଶୋକବାର୍ତ୍ତାରେ ଡ. ସାମନ୍ତ କହିଛନ୍ତି, ବିଭୂତି ନିଜର ସାମ୍ବାଦିକତା ଜୀବନ ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ୱାରା ପ୍ରକାଶିତ ଇଂରାଜୀ ସାପ୍ତାହିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ରୁ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ସହ ଜଡ଼ିତ ରହି କାର୍ଯ୍ୟ କରିଥିଲେ ।
ଜଣେ ଦକ୍ଷ ଓ ଦୁଃସାହସିକ ସାମ୍ବାଦିକ ଭାବେ ସେ ଦିଲ୍ଲୀରେ ଓଡ଼ିଶା ଗଣମାଧ୍ୟମର ପ୍ରତିନିଧିତ୍ୱ କରିବା ସହ ବିଶେଷ କରି ଅନୁସନ୍ଧାନମୂଳକ ଏବଂ ପରିବେଶ ସମ୍ବନ୍ଧୀୟ ରିପୋର୍ଟିଂ ପାଇଁ ବେଶ୍ ଜଣାଶୁଣା ଥିଲେ । ପରିବେଶ ସମ୍ବନ୍ଧୀୟ ସମ୍ବେଦନଶୀଳ ପ୍ରସଙ୍ଗ, ଜାତୀୟ ସୁରକ୍ଷା ଏବଂ ଆଞ୍ଚଳିକ ରାଜନୀତି ଉପରେ ତୃଣମୂଳ ସ୍ତରରେ ରିପୋର୍ଟିଂ କରିବା ଦିଗରେ ସେ ସିଦ୍ଧହସ୍ତ ଥିଲେ । ବିଭୂତି ପତିଙ୍କ ସହ ଶ୍ରୀ ସାମନ୍ତଙ୍କ ଦୀର୍ଘ ଦିନର ସୁସମ୍ପର୍କ ରହି ଆସିଥିଲା । ଦିଲ୍ଲୀ ଗଲେ କିମ୍ବା ସେ ଭୁବନେଶ୍ବର ଆସିଲେ ମୋ ସହ ବିଭିନ୍ନ ବିଷୟରେ ଆଲୋଚନା କରୁଥିଲେ ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଅନୁଜ ପ୍ରତିମ ବିଭୂତିଙ୍କ ବିୟୋଗରେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଏକ ଅପୁରଣୀୟ କ୍ଷତି ଘଟିଲା ବୋଲି ଡ. ସାମନ୍ତ ଶୋକବ୍ୟକ୍ତ କରି କହିଛନ୍ତି ।

