ଅଯୋଧ୍ୟା ଓ ବାରାଣସୀ ଯାତ୍ରା କଲେ ୫ ଜିଲ୍ଲାର ୭୭୫ ତୀର୍ଥଯାତ୍ରୀ
ଧାଡ଼ିର ଶେଷରେ ଥିବା ଲୋକଙ୍କ କଲ୍ୟାଣକୁ ସରକାର ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି: ମନ୍ତ୍ରୀ ଶ୍ରୀ ମଲ୍ଲିକ
ବ୍ରହ୍ମପୁର, ୧୧/୯: ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଗଞ୍ଜାମ ସମେତ ୫ଟି ଜିଲ୍ଲାର ୭୭୫ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଓ ୨୫ ଜଣ ଏସ୍କର୍ଟ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଯାତ୍ରା କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନରୁ ଏହି ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ କରାଯାଇଛି।

ଏହି ଅବସରରେ ମତ୍ସ୍ଯ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ତୀର୍ଥଯାତ୍ରୀଙ୍କୁ ଶୁଭକାମନା ଜଣାଇ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ କରିଥିଲେ। ମନ୍ତ୍ରୀ କହିଥିଲେ ଯେ, ଧାଡ଼ିର ଶେଷରେ ଥିବା ଲୋକଙ୍କ କଲ୍ୟାଣକୁ ସରକାର ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଆର୍ଥିକ ଦୁର୍ବଳତା ଯୋଗୁଁ ଯେଉଁ ବରିଷ୍ଠ ନାଗରିକମାନେ ଦେଶର ପ୍ରମୁଖ ତୀର୍ଥସ୍ଥାନ ପରିଦର୍ଶନ କରିବାରୁ ବଞ୍ଚିତ ହେଉଥିଲେ, ସରକାରଙ୍କ ସହାୟତା ଯୋଗୁଁ ଆଜି ସେମାନଙ୍କର ସେହି ଇଚ୍ଛା ପୂରଣ ହୋଇପାରୁଛି। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଏହାର ଏକ ଉଜ୍ଜ୍ୱଳ ଉଦାହରଣ ବୋଲି ସେ କହିଥିଲେ।
ଏହି ଯାତ୍ରାରେ ତୀର୍ଥଯାତ୍ରୀମାନେ ବାରାଣସୀର ପବିତ୍ର ଗଙ୍ଗା ଘାଟ, ବିଭିନ୍ନ ଶୈବ ପୀଠ, ଗଙ୍ଗା ଆରତି ଓ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିବା ସହ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ସାନ୍ନିଧ୍ୟ ଲାଭ କରିବେ। ତୀର୍ଥଯାତ୍ରୀଙ୍କ ଯାତ୍ରା ସମୟରେ ସମସ୍ତ ପ୍ରକାର ସୁବିଧା ଓ ସୁରକ୍ଷା ପ୍ରତି ଯତ୍ନବାନ ହେବାକୁ ଏସ୍କର୍ଟ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ।
ଏହି ତୀର୍ଥଯାତ୍ରାରେ ଗଜପତି ଜିଲ୍ଲାରୁ ୭୨ ଜଣ, ନୟାଗଡ଼ରୁ ୧୧୯, କନ୍ଧମାଳରୁ ୯୧, ବୌଦ୍ଧରୁ ୫୫ ଏବଂ ଗଞ୍ଜାମରୁ ୪୩୮ ଜଣ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି।
କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ୫ ରାତି ଓ ୬ ଦିନର ଏହି ଯାତ୍ରା ସୁଖମୟ ଓ ଆନନ୍ଦମୟ ହେଉ ବୋଲି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରିଥିଲେ। ସେମାନେ କହିଥିଲେ ଯେ, ଆର୍ଥିକ ଅସୁବିଧା ଯୋଗୁଁ ଯେଉଁ ବରିଷ୍ଠ ନାଗରିକମାନେ ଦୀର୍ଘଦିନ ଧରି ତୀର୍ଥଯାତ୍ରାର ସୁଯୋଗ ପାଇପାରୁନଥିଲେ, ସରକାରଙ୍କ ଏହି ଯୋଜନା ସେମାନଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇଛି।
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ୍ ସ୍ୱାଗତ ଭାଷଣ ଦେଇ ତୀର୍ଥଯାତ୍ରୀମାନଙ୍କୁ ତୀର୍ଥର ଆନନ୍ଦ ଉପଭୋଗ କରିବା ସହ ମନ ଓ ଶରୀରକୁ ପ୍ରଫୁଲ୍ଲ ରଖିବାକୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଏ. ସସ୍ୟା ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଆଇଆରସିଟିସି ରିଜିଓନାଲ ମ୍ୟାନେଜର ଅନୁଜ ଦତ୍ତ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଡ. ରୁଦ୍ର ନାରାୟଣ ଦାସ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜନକ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ସରକାରଙ୍କ ଏହି ପଦକ୍ଷେପ ଓ ବ୍ୟବସ୍ଥା ପାଇଁ ତୀର୍ଥଯାତ୍ରୀମାନେ ଖୁସି ବ୍ୟକ୍ତ କରିବା ସହ ଯାତ୍ରାକୁ ନେଇ ଉତ୍ସାହ ପ୍ରକାଶ କରିଥିଲେ। ଯାତ୍ରୀ ମାନଙ୍କର ସ୍ୱାଗତ ଓ ମନୋରଞ୍ଜନ ପାଇଁ ଷ୍ଟେସନରେ ପାରମ୍ପରିକ ନୃତ୍ୟ ଓ ସଙ୍ଗୀତର ଆୟୋଜନ ହୋଇଥିଲା।
ଗୁରୁବାର ରାତିରେ ବ୍ରହ୍ମପୁର ରେଳ ଷ୍ଟେସନ ନିକଟସ୍ଥ ଗୁରୁକୁଳ ସ୍କୁଲରେ ତୀର୍ଥଯାତ୍ରୀମାନଙ୍କୁ ସ୍ୱାଗତ କରାଯାଇ ସେମାନଙ୍କ ରହଣି, ସ୍ୱାସ୍ଥ୍ୟ ପରୀକ୍ଷା, ଖାଦ୍ୟପେୟ ଓ ଭୋଜନ ଆଦିର ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିଲା।

