ରାସ୍ତା କଡ଼ରେ ସ୍କୁଟି ଉପରେ ବସି କଥା ହେଉଥିଲେ ଯୁବକ…
ହଠାତ୍ ମାଡ଼ି ଆସିଲା ଦ୍ରୁତଗତିର ଟ୍ରାକ୍ଟର!
ଧକ୍କା ଦେବା ପରେ ଯୁବକଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର।
ଭୟଙ୍କର ଦୁର୍ଘଟଣାରେ ଗୁରୁତର ଆହତ ହିଇଛନ୍ତି ୨୮ ବର୍ଷୀୟ ଯୁବକ। ଗୁରୁତର ଅବସ୍ଥାରେ ପ୍ରଥମେ ଚାନ୍ଦବାଲି ଓ ପରେ କଟକ ସ୍ଥାନାନ୍ତର।
ଏଭଳି ଏକ ଦୁଃଖଦ ଦୁର୍ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି–ଆରଡ଼ି ରାସ୍ତାର ବେଳସରା ଗାଁ ଛକରେ।
ଗୁରୁତର ଆହତ ଯୁବକ ହେଉଛନ୍ତି ବେଳସରା ଗାଁର ନୁର୍ଷିଙ୍ଗ ଦାସଙ୍କ ୨୮ ବର୍ଷୀୟ ପୁଅ ଦିପୁ ଦାସ।
ସୂଚନା ଅନୁଯାୟୀ, ଦିପୁ ନିଜ ସ୍କୁଟିକୁ ରାସ୍ତା କଡ଼ରେ ରଖି, ସେଥିରେ ବସି ଅନ୍ୟ ଜଣଙ୍କ ସହ କଥା ହେଉଥିଲେ। ଏହି ସମୟରେ ଆରଡ଼ି ପଟରୁ ଏକ ଦ୍ରୁତଗତିର ଟ୍ରାକ୍ଟର ଆସି ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଟ୍ରାକ୍ଟରଟି ଦିପୁଙ୍କ ଉପରେ ଚଢ଼ିଯାଇଥିଲା।

ଏପରିକି ସ୍କୁଟିଟି ଟ୍ରାକ୍ଟର ତଳେ ରହି କିଛି ବାଟ ଘୋଷାଡ଼ି ହୋଇଥିବା ଜଣାପଡ଼ିଛି।
ସ୍ଥାନୀୟ ଲୋକେ ତୁରନ୍ତ ଦିପୁଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ରେଫର କରାଯାଇଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ଓ ସ୍କୁଟିକୁ ଜବତ କରିଛି। ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ଥିବା ଜଣାପଡ଼ିଛି।
ଏପଟେ ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକେ ଏକାଠି ହୋଇ ରାସ୍ତାରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଛନ୍ତି।
ପର୍ଯ୍ୟଟନସ୍ଥଳୀକୁ ଯାଉଥିବା ଏହି ରାସ୍ତାରେ ଦ୍ରୁତଗତି ଗାଡ଼ି ଚଳାଚଳ ଉପରେ ନିୟନ୍ତ୍ରଣ ସହ ଆଗକୁ ଯେପରି ଏଭଳି ଦୁର୍ଘଟଣା ନଘଟେ, ସେଥିପାଇଁ ପୋଲିସ କଡ଼ା ପଦକ୍ଷେପ ନେଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ଲୋକେ

